ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ ଘଟଣା : ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର,୨୨।୧(ବ୍ୟୁରୋ): କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରକୁ ଆକ୍ରମଣ ଉଦ୍ୟମ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଏବଂ ଗାଡ଼ିକୁ ଆକ୍ରମଣ ଘଟଣାକୁ ନେଇ କଂଗ୍ରେସ ଗୁରୁବାର ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଛି। ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଆୟୋଗଙ୍କୁ ଭେଟି ସ୍ଥାନୀୟ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ, ସ୍ଥାନୀୟ ପୋଲିସର ଅବହେଳା ଓ ଖରାପ ମନୋଭାବ ଯୋଗୁ ଏହି ଘଟଣା ଘଟିଥିଲା। ରାଜ୍ୟରେ ଏକ ଜାତୀୟ ଦଳର ସଭାପତିଙ୍କ ଉପରେ ଯଦି ଏଭଳି ଆକ୍ରମଣ ହେଉଛି. ତା’ହେଲେ ସାଧାରଣ ନାଗରିକ କେତେ ସୁରକ୍ଷିତ ତାହା ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି ପ୍ରତିନିଧି ଦଳ କମିଶନଙ୍କ ନିକଟରେ କହିଛନ୍ତି। ଏଥିସହିତ ରାଜ୍ୟରେ ଯେକୌଣସି ଗସ୍ତ ସମୟରେ କଂଗ୍ରେସ ସଭାପତିଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରାଯାଇଛି। ଏହା ପୂର୍ବରୁ କଂଗ୍ରେସର ଏକ ପ୍ରତିନିଧି ଦଳ କେନ୍ଦୁଝର ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା। ଏହାପରେ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିଲା।