କଡ଼ା ସୁରକ୍ଷାରେ ଥିବା ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ: ଧରାପଡ଼ିଗଲେ ଅଭିଯୁକ୍ତ

ଲାଞ୍ଜିଗଡ଼,୧୪।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଥିବା ଏଟିଏମ୍‌ କାଉଣ୍ଟର ଭାଙ୍ଗି ଲୁଟ୍‌ ଉଦ୍ୟମ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି I ଗିରଫ ଅଭିଯୁକ୍ତ ଜଣକ ହେଲେ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଘଡେଇତୋଟାର ଶଙ୍କର ହରିଜନ(୨୭)।

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ପରିସରରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ଏଟିଏମ୍‌ କାଉଣ୍ଟର ସଟର ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏଥିରେ ସଫଳ ନ ହେବାରୁ ଉପରେ ଥିବା କାଚ କବାଟ ଭାଙ୍ଗି ଭିତରେ ପଶି ଥିଲେ। ପରେ ସେମାନେ ଏଟିଏମ୍‌ ତାଡ଼ି ଲୁଟ୍‌ ଉଦ୍ୟମ କରିଥିଲେ। ହେଲେ ଏଥିରେ ସେମାନେ ସଫଳ ହୋଇ ନ ଥିଲେ।

ଏହି ସମ୍ପର୍କରେ ଖବର ପାଇ ଶନିବାର ଭୋରରୁ ଲାଞ୍ଜିଗଡ ଶାଖା ପରିଚାଳକ ସତୀଶ ମହାକୁଡ଼ ଏବଂ ବ୍ୟାଙ୍କର ସମସ୍ତ କର୍ମଚାରୀ, କେସିଙ୍ଗା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ଦୀପ ମାଝୀ, ଲାଞ୍ଜିଗଡ଼ ଥାନା ଅଧିକାରୀ ଯଶୋବନ୍ତ କୁମାର ହିଆଲଙ୍କ ନେତୃତ୍ୱରେ ଏସ୍‌ଆଇ ଡୋଳାମଣି ବିଶି, ଏଏସ୍‌ଆଇ ବଳଭଦ୍ର ଗୌଡ଼ଙ୍କ ସହ ପୋଲିସ କର୍ମଚାରୀ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଥିଲେ। ତେବେ ବ୍ୟାଙ୍କ ଶାଖା ପକ୍ଷରୁ ଏଟିଏମ୍‌ରେ ନିଜସ୍ବ ସୁରକ୍ଷା କର୍ମଚାରୀ ନ ଥିବାବେଳେ ବେଦାନ୍ତ କମ୍ପାନୀର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଏଟିଏମ କାଉଣ୍ଟରରେ ଚୋରି ଉଦ୍ୟମ ହେବ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଚକିତ କରିଛି।

ଖବର ପାଇ ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଭବାନୀପାଟଣାରୁ ଏଚ୍‌ଆର ମ୍ୟାନେଜର ରଶ୍ମି ରଞ୍ଜନ ଦାସ, ଚାନେଲ ମ୍ୟାନେଜର ଅଜୟ କୁମାର ସାହୁ ଲାଞ୍ଜିଗଡ଼ରେ ପହଞ୍ଚି ତଦନ୍ତ କରିଥିଲେ। ପରେ ଲାଞ୍ଜିଗଡ଼ ଶାଖା ପରିଚାଳକ ସତୀଶ ମହାକୁଡ଼ଙ୍କ ସହିତ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ I

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରି ଫିଙ୍ଗର ପ୍ରିଣ୍ଟ ଯାଞ୍ଚ କରିଥିଲା I ଅଭିଯୋଗ ଆଧାରରେ ପୋଲିସ କାରଖାନା ଗେଟରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ଶଙ୍କରଙ୍କୁ ଗିରଫ କରିଥିଲା।

ଏପରିକି ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ପୋଲିସ ଏହାର ତଦନ୍ତ କରୁଥିବା କେସିଙ୍ଗା ଏସ୍‌ଡିପିଓ ମାଝୀ ପ୍ରକାଶ କରିଥିଲେ I ଏନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା(ନଂ.୯୦/୨୫) ରୁଜୁ ହୋଇଛି। ଧାରା ୩୩୧(୪)୩୦୫(C)୬୨ ବିଏନ୍‌ଏସ୍‌ରେ ଅଭିଯୁକ୍ତ ଶଙ୍କରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସଆଇ ଡୋଳାମଣି ବିଶି ପ୍ରକାଶ କରିଛନ୍ତି।