ବଟି ମାଗୁଥିଲେ, ନ ଦେବାରୁ ମା’-ପୁଅଙ୍କୁ ପନିକିରେ ହାଣିଲେ

ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସାନରେଡିକା ସାହିର ରଞ୍ଜନ ପାଢ଼ୀ ଏବଂ ତାଙ୍କ ମା ନର୍ମଦା ପାଢ଼ୀଙ୍କୁ ଏସ.ରାଜୀବ ରେଡ୍ଡୀ ପନିକିରେ ହାଣି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏନେଇ ଏତଲା ହେବାପରେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୫/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜୀବ ଗତ କିଛି ଦିନ ହେଲା ନର୍ମଦାଙ୍କୁ ବଟି ମାଗିବା ସହ ଗାଳି ଗୁଲଜ କରି ଆସୁଥିଲେ। ଏନେଇ ରଞ୍ଜନ ପୂର୍ବରୁ ଦୁଇଥର ଥାନାରେ ଅଭିଯୋଗ କରିଥିଲେ।

ଗତ ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ ଟାରେ ନର୍ମଦା ଘରେ ଏକୁଟିଆ ଥିବାବେଳେ ରାଜୀବ ତାଙ୍କୁ ଗାଳି କରି ଧମକ ଦେଇଥିଲେ। ଖବରପାଇ ବ୍ରହ୍ମପୁରରେ ରହୁଥିବା ରଞ୍ଜନ ଅପରାହ୍ନ ପ୍ରାୟ ୧ ଟାରେ ଘରେ ପହଞ୍ଚି ମାଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ରାଜୀବଙ୍କୁ ଯାଇ ପଚାରିବାରୁ ସେ ଘରୁ ଏକ ପନିକି ଆଣି ତାଙ୍କ ମୁଣ୍ଡ କୁ ଚୋଟ ପକାଇବା ସହ ତାଙ୍କ ମା ଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି। ଗିରଫ ହେବା ଭୟରେ ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି ।

Share