ଦିଗପହଣ୍ଡି,୧୯।୧(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମ ଇନ୍ଦିରା ଆବାସ କଲୋନୀରେ ରହୁଥିବା ସ୍ବର୍ଗତ ପାଣ ସେଠୀଙ୍କ ଘରେ ଜବରଦସ୍ତ ପଶି ମା-ଝିଅଙ୍କୁ ହତ୍ୟା ଉଦ୍ୟମ। ମା’ କୁମାରୀ ସେଠୀ(୬୫) ଓ ଦୁଇ ଝିଅ ସବିତା ସେଠୀ(୩୨),ଝିଲି ସେଠୀ(୨୪)ଙ୍କୁ ଜଣେ ଯୁବକ ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଗଳା କାଟି ହତ୍ୟା ଉଦ୍ୟମ କରି ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ସେ ହେଲେ ଦିଗପହଣ୍ଡି ଥାନା ସାନଡୁମୱୁଳା ଗ୍ରାମର ଜେ . ବାଳକୃଷ୍ଣ ପାତ୍ର ଓରଫ ଟମାଟୋ । ଥାନା ମାମଲା ନଂ.୨୬/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ବାଳକୃଷ୍ଣ ଘଟଣା ଦିନ ରାତି ପ୍ରାୟ ସାଢେ ୧୧ଟାରେ କୁମାରୀଙ୍କ ଘରକୁ ଯାଇ କବାଟ ବାଡେଇ ଥିଲେ । କୁମାରୀଙ୍କ ଅବିବାହିତ ଝିଅ ସବିତା କବାଟ ଖୋଲିଥିଲେ। ଏହି ସମୟରେ ଅଭିଯୁକ୍ତ ବାଳକୃଷ୍ଣ ଏକ ଧାରୁଆ କାତରେ ସବିତାଙ୍କ ବେକକୁ ଚୋଟ ପକାଇଥିଲେ। ଏହାଦେଖି ମା’ କୁମାରୀ ଏବଂ ସାନ ଭଉଣୀ ଝିଲି ସବିତାଙ୍କୁ ବଞ୍ଚାଇବା ପାଇଁ ଧାଇଁ ଆସିବା ବେଳେ ସେମାନଙ୍କୁ ମଧ୍ୟ ସେ କାତିରେ ଚୋଟ ପକାଇ ବାଇକ ଯୋଗେ ଚମ୍ପଟ ମାରିଥିଲେ । ମା’ ଓ ୨ ଝିଅଙ୍କ କାନ୍ଦ ବୋବାଳି ଶୁଣି ପାଖ ପଡୋଶୀ ଲୋକ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ । ଏନେଇ ସୂଚନା ପାଇବା ପରେ ଦିଗପହଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଆହାତମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ସବିତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରବିବାର ସକାଳୁ କୁମାରୀ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ନିୟମିତ ବ୍ୟବଧାନରେ ରାତି ଅଧରେ କୁମାରୀଙ୍କ ଘରକୁ ଯାଇ କବାଟ ବାଡେଇ ହଇରାଣ କରୁଥିଲେ। କିଛିଦିନ ପୂର୍ବେ କୁମାରୀଙ୍କ ସାନ ଝିଅ ଝିଲି ଅଭିଯୁକ୍ତଙ୍କ ଘରକୁ ଯାଇ ପ୍ରତିବାଦ କରିବା ସହ ତାଙ୍କୁ ପରିବାର ଲୋକ ଏବଂ ଗାଁ ଲୋକଙ୍କ ଆଗରେ ଅପମାନ କରି ଗାଳି କରିଥିଲେ। ଅପମାନର ପ୍ରତିଶୋଧ ନେବାପାଇଁ ସେ ତାଙ୍କ ଘରେ ପଶି କାତିରେ ଝିଲି ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତାଙ୍କ ନିକଟରୁ ଘଟଣାରେ ବ୍ୟବହୃତ କାତି ଓ ପଲ୍ସର ବାଇକ ନଂ. ଓଡ଼ି ୦୭ ଏ ଆର – ୭୩୯୭)କୁ ଜବତ କରାଯାଇଛି।