ଦମ୍ପତ୍ତିଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ନୂଆପଡା ଗ୍ରାମରେ ଘଟିଥିବା ଏକ ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି। ସେଠାରେ ତାଙ୍କର ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଗିରଫ ହୋଇ ଜେଲ ହାଜତକୁ ଯାଇଥିବା ଅଭିଯୁକ୍ତ ଜଣକ ହେଲେ ନୂଆପଡା ଗ୍ରାମ ସାନଦାଣ୍ଡ ସାହିର ଭାସ୍କର ସେଠୀ।

ପୂର୍ବ ଶତୃତାକୁ କେନ୍ଦ୍ରକରି ଗତ ମଙ୍ଗଳବାର ସନ୍ଧ୍ୟାରେ ଭାସ୍କର ସେହି ଗ୍ରାମର ଯୁବରାଜ ପେଣ୍ଠ ପ୍ରାଥମିକ ବିଦ୍ୟାଳୟ ସାହିର ସୁବ୍ରତ ସେଠୀଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ସେ ହଠାତ ଉତ୍ତ୍ୟକ୍ତ ହୋଇ ସୁବ୍ରତଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଏକ ଲୁହା ଛଡ଼ରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ଏହା ଦେଖି ସୁବ୍ରତଙ୍କ ସ୍ତ୍ରୀ ସୁଲୋଚନା ପାଟି କରିବାରୁ ଭାସ୍କର ତାଙ୍କ ମୁଣ୍ଡକୁ ମଧ୍ୟ ଲୁହା ଛଡ଼ରେ ପିଟି ଲହୁଲୁହାଣ କରିଥିଲେ। ଗୁରୁତର ଅବସ୍ଥାରେ ସୁବ୍ରତ ଓ ତାଙ୍କ ସ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବମକୋଇ ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରୁ ଚିକିତ୍ସିତ ହୋଇ ଫେରିବା ପରେ ସୁଲୋଚନା କେ. ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ଆଇଆଇସି କିଶୋର ସାମଲ ମାମଲା ନଂ. ୨୩୦/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।