ସାଙ୍ଗମାନଙ୍କ ସହ ଗପୁଥିବା ବେଳେ ଆକ୍ରମଣ: ଲୁହାଛଡ଼ ସହ ବାଇକ ଜବତ ପରେ ଅଭିଯୁକ୍ତ…

ଦିଗପହଣ୍ଡି,୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମର କୃଷ୍ଣ ଗୌଡ଼ଙ୍କୁ ପୂର୍ବ ଶତ୍ରୁତାରୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବମକେଇ ପଞ୍ଚାୟତ ରାଇଗୁଡ଼ା ଗାଁର ଅଭିଯୁକ୍ତ ଅବିନାଶ ଜାନି ଓରଫ ବାବୁନାଙ୍କୁ ପୋଲିସ ଗିରଫ କରି ଗୁରୁବାର ସାରେ କୋର୍ଟ ଚାଲାଣ କରିଛନ୍ତି। ଥାନାରେ ମାମଲା ନଂ.୪୦୦/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି।
ବୁଧବାର ସନ୍ଧ୍ୟାରେ ପ୍ରାୟ ୬ଟାରେ ଗାଁର ତିନିଛକରେ କୃଷ୍ଣ ଠିଆ ହୋଇ ତାଙ୍କ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ କେ.ନୂଆଗାଁ ଥାନା ବମକେଇ ପଞ୍ଚାୟତ ରାଇଗୁଡା ଗ୍ରାମର ଅବିନାଶ ଓ ତାଙ୍କ ୨ ସହଯୋଗୀ ବାଇକ ନଂ.( ଓଡ଼ି ୦୭ ଟି -୩୮୦୨) ଯୋଗେ ଆସି କୃଷ୍ଣଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ଧମକ ଦେଇଥିଲେ। ପ୍ରତିବାଦ କରିବାରୁ ଅବିନାଶ ଏକ ଲୁହାଛଡ଼ରେ କୃଷ୍ଣଙ୍କ ମୁଣ୍ଡ ଓ ହାତ କୁ ମାରିଥିଲେ। ଅବିନାଶ ଓ ତାଙ୍କ ୨ ସହଯୋଗୀ ତାଙ୍କୁ ନିସ୍ତୁକ ମାଡ଼ ମାରିବାରୁ ସେ ତଳେ ପଡି ପାଟି କରିଥିଲେ। କୃଷ୍ଣଙ୍କ ପାଟି ଶୁଣି ଗ୍ରାମର ବହୁସଂଖ୍ୟକ ଯୁବକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଅବିନାଶଙ୍କୁ ଅଟକ ରଖି ଦିଗପହଣ୍ଡି ଥାନାକୁ ଜଣାଇଥିଲେ। ଅନ୍ୟ ୨ ଜଣ କୌଶଳକ୍ରମେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ଅବିନାଶଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଥାନାକୁ ଉଠାଇ ନେଇଥିଲେ। କୃଷ୍ଣ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେବା ପରେ ଥାନାରେ ଏତଲା ଦେଇଥିଲେ। ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କ ନାଁରେ ମକଦ୍ଦମା ରୁଜୁ କରି ଏଏସ୍‌ଆଇ ଝୁନୁ ମାଝୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଗତ ୭ ଦିନ ପୂର୍ବେ ଅବିନାଶ ବାଇକ ରେ ଆସି କୃଷ୍ଣଙ୍କୁ ଗାଁରେ ଧମକ ଦେଇଥିଲେ। ୪ ଦିନ ପୂର୍ବେ ଅବିନାଶ ବୋରିପଦର ଗାଁର ଗ୍ୟାରେଜକୁ ଆସିଥିବା ବେଳେ କୃଷ୍ଣ ତାଙ୍କୁ ଗତ ଦିନର ଘଟଣା ନେଇ ପଚାରିଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ କେନ୍ଦ୍ରକରି ଅବିନାଶ ପୂର୍ବ ଯୋଜନା ପ୍ରକାରେ ତାଙ୍କ ୨ ସହଯୋଗୀ ଙ୍କୁ ସାଙ୍ଗରେ ଆଣି କୃଷ୍ଣଙ୍କୁ ହତ୍ୟା ଉଦ୍ୟମ କରିଥିବା ଏତଲାରେ ଉଲ୍ଲେଖ ରହିଛି। ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ନିକଟରୁ ହତ୍ୟା ଉଦ୍ୟମ ରେ ବ୍ୟବହୃତ ଲୁହାଛଡ଼ ଓ ବାଇକକୁ ଜବତ କରିଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share