ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୁଡୁ ସେଠୀ ତାଙ୍କ ସ୍ତ୍ରୀ ରଶ୍ମୀ ସେଠୀଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରଶ୍ମୀଙ୍କ ଭାଇ ଲକ୍ଷ୍ମୀ ଚରଣ ସେଠୀ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏହାପରେ ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୮୫/୨୫ ଅନୁଯାୟୀ ଅଭିଯୁକ୍ତ ସ୍ବାମୀ ବୁଡୁୁଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ନିମନ୍ତେ ଏଏସ୍ଆଇ ଅଜୟ କୁମାର ନାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାନୁଯାୟୀ, ୧୪ ବର୍ଷ ପୂର୍ବେ ବଡ଼ଡୁମ୍ବୁଳା ଗ୍ରାମର ସୀତାରାମ ସେଠୀଙ୍କ ପୁଅ ବୁଡୁୁଙ୍କୁ ଜରଡା ଥାନା ନାରାୟଣପୁର ଗ୍ରାମର ରାଜେନ୍ଦ୍ର ସେଠୀଙ୍କ କନ୍ୟା ରଶ୍ମୀ ବିବାହ କରିଥିଲେ। ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବି ପ୍ରକାରେ ନଗଦ ୫୦ ହଜାର ଟଙ୍କା,ସୁନା ଗହଣା ଓ ସମସ୍ତ ଆସବାବପତ୍ର ଯୌତୁକ ସ୍ବରୂପ ଦିଆଯାଇଥିଲା। ବିବାହର ୨ ବର୍ଷ ହସ ଖୁସିରେ କଟିବା ପରେ ସ୍ବାମୀ ବୁଡୁ ପୁଣି ୧ ଲକ୍ଷ ଟଙ୍କା ଏବଂ ୨ ଭରି ସୁନା ଅଳଙ୍କାର ବାପଘରୁ ଆଣିବାକୁ ରଶ୍ମୀଙ୍କୁ ବାଧ୍ୟ କରିବା ସହ ସଦାସର୍ବଦା ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ତାଙ୍କର ପୁଅ ଓ ଝିଅ ଅଛନ୍ତି। ବୁଡୁ ଗୁଜୁରାଟର ସୁରତ ସହର ସୂତାକଳରେ କାମ କରୁଥିବା ବେଳେ ଗତ କିଛି ଦିନ ହେଲା ସେ ଗାଁକୁ ଆସିଥିଲେ। ଗତ ଶୁକ୍ରବାର ଅପରାହ୍ନ ପ୍ରାୟ ୨ ଟାରେ ବୁଡୁ ସ୍ତ୍ରୀ ରଶ୍ମୀଙ୍କୁ ଏକ କାତିରେ ମରଣାନ୍ତକ ଆକ୍ରମଣ କରିଥିଲେ। କାତି ଚୋଟରେ ରଶ୍ମୀଙ୍କ ହାତ ଓ ଗୋଡ଼ରୁ ରକ୍ତସ୍ରାବ ହେବାରୁ ଝିଅ ପୁଅ ଦୁଇଜଣ କାନ୍ଦି ଥିଲେ। ଉଭୟଙ୍କୁ ସେ ରାସ୍ତାକୁ ଫୋପାଡି ଦେଇଥିଲେ। ସାହି ଲୋକେ ଦୌଡ଼ି ଆସିବାରୁ ବୁଡୁ ସେଠାରୁ ଧମକ ଦେଇ ପଳାଇଥିଲେ। ରଶ୍ମୀଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ଥିବା ଏତଲାରେ ଉଲ୍ଲେଖ ରହିଛି।