ଦିଗପହଣ୍ଡି,୧୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ବିଜୟ ପଦ୍ମନାଭପୁର ଲାଡିଗାଁର ଭୁକୁଲି ସେଠୀ ଏବଂ ତାଙ୍କ ପ୍ରତିପକ୍ଷ ବି. ତୁରୁବୁଡ଼ିି ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ମିଥୁନ ସେଠୀଙ୍କୁ ଦିଗପହଣ୍ଡି ପୋଲିସ ହତ୍ୟା ଉଦ୍ୟମ ଘଟଣାରେ ଗିରଫ କରିଛି। ଏଥିସହ ଗୁରୁବାର ସନ୍ଧ୍ୟାରେ କୋର୍ଟଚାଲାଣ କରିଛି। ଥାନା ମାମଲା ନଂ.୩୪୦/୨୫ ଏବଂ ୩୪୧/୨୫ ଅନୁଯାୟୀ ଉଭୟ ଅଭିଯୁକ୍ତ ଦ୍ବୟ ଙ୍କ ଜାମିନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ନରେନ୍ଦ୍ରପୁର ଗ୍ରାମର ସ୍ବର୍ଗତ ଅଭିମନ୍ୟୁ ସେଠୀଙ୍କ ଝିଅ ଲକ୍ଷ୍ମୀ ଲାଡିଗାଁର ଭୁକୁଲିଙ୍କ ପୁଅ ନିରଞ୍ଜନ ସେଠୀଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ଦାମ୍ପତ୍ୟ ଜୀବନ ସୁଖରେ କଟିଥିଲା । ପରବର୍ତ୍ତୀ ସମୟରେ ଲକ୍ଷ୍ମୀଙ୍କ ସ୍ବାମୀ ନିରଞ୍ଜନ ତାଙ୍କ ଚରିତ୍ର ଉପରେ ସନ୍ଦେହ କରି ତାଙ୍କୁ ମାରପିଟ କରିବାରୁ ଲକ୍ଷ୍ମୀ ଗତ ୮ ଦିନ ପୂର୍ବେ ବାପ ଘର ଗାଁ ନରେନ୍ଦ୍ରପୁରକୁ ଚାଲି ଯାଇଥିଲେ। ସ୍ବାମୀ ନିରଞ୍ଜନ ସ୍ତ୍ରୀ ଲକ୍ଷ୍ମୀଙ୍କୁ ବୁଧବାର ସନ୍ଧ୍ୟାରେ ଫୋନ କରି ଗାଁକୁ ଡାକିଥିଲେ। ଲକ୍ଷ୍ମୀ ଏବଂ ତାଙ୍କ ଭାଇ ମିଥୁନ ଲାଡିଗାଁକୁ ଆସିଥିଲେ । ତେବେ ସେଠାରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ଜ୍ବାଇଁ ନିରଞ୍ଜନ ଓ ଶଳା ମିଥୁନଙ୍କ ମଧ୍ୟରେ ମାରପିଟ ହେବା ପରେ ଶଳା ମିଥୁନ ଉତ୍ତେଜିତ ହୋଇ ନିରଞ୍ଜନଙ୍କ ମୁଣ୍ଡକୁ ଏକ ଠେଙ୍ଗାରେ ଘାତକ ଆକ୍ରମଣ କରିଥିଲେ । ଏହାଦେଖି ନିରଞ୍ଜନଙ୍କ ବାପା ଭୁକୁଲି ଏକ ଛୁରୀରେ ମିଥୁନଙ୍କ ଗାଲ ଓ ମୁହଁକୁ ଆକ୍ରମଣ କରିଥିଲେ। ସମସ୍ତ ଆହାତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ନିରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଉଭୟପକ୍ଷ ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତ ମାନଙ୍କ ନାଁରେ ପୃଥକ ମାମଲା ରୁଜୁ କରିଥିଲେ।