ଦିଗପହଣ୍ଡି,୧୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ଶନିବାର ଦିଗପହଣ୍ଡି ଥାନା ଏସଆଇ ସୋଫିଆ ମିଶ୍ର ଥାନା ମାମଲା ନଂ.୧୮୭/୨୫ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରିବା ପରେ ତାଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଗତ ମେ ୨୩ ତାରିଖ ଅପରାହ୍ନ ପ୍ରାୟ ୨ ଟାରେ ନାବାଳିକା ଜଣକ ଘର ନିକଟ ନଳକୂପକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ନାବାଳିକାଙ୍କୁ ଏକୁଟିଆ ପାଇ ତାଙ୍କୁ ନିକଟସ୍ଥ ନୂଆ ପୋଖରୀ ହୁଡ଼ାକୁ ଝିକିନେଇ ତାଙ୍କୁ ଅସଦାଚାଣ କରିଥିଲେ। ନାବାଳିକା ଜଣକ ପାଟି କରିବାରୁ ଅଭିଯୁକ୍ତ ଜଣକ ତାଙ୍କ ଘର ଭିତରକୁ ଦୌଡ଼ି ପଳାଇଥିଲେ। ନାବାଳିକା ଜଣକ କାନ୍ଦି କାନ୍ଦି ଘରେ ପହଞ୍ଚି ତାଙ୍କ ମା’କୁ ଘଟଣା କହିଥିଲେ। ଜେଜେ ବାପା ଘରେ ପହଞ୍ଚି ଘଟଣା ଜାଣିବା ପରେ ଅଭିଯୁକ୍ତଙ୍କ ଘରକୁ ଯାଇ ପଚାରିବାରୁ ତାଙ୍କୁ ଅଭିଯୁକ୍ତଙ୍କ ବାପା ଜଟିଆ ଦାସ ଏବଂ ତାଙ୍କ ସ୍ତ୍ରୀ ହାତରେ କଟୁରୀ ଧରି ମାରିବାକୁ ଗୋଡାଇଥିଲେ। ନାବାଳିକାଙ୍କ ମା’ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସମ୍ପୃକ୍ତ ନାବାଳକଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ପାଇଁ ଏସଆଇଙ୍କୁ ନିର୍ଦ୍ଦେଶ ଦେଇଥିଲେ।