ସାକ୍ଷୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଏସ.ଆଇ ଜୟନାଥ ପ୍ରଧାନ ଗୁରୁବାର ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ଦୁର୍ଦ୍ଦାନ୍ତ ଯୁବକ ଜୟ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୧୬/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ବୁଧବାର ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ, ବିକ୍ରମ ସିଂ ଏବଂ ରାଜ କିଶୋର ମହାନ୍ତି ପ୍ରମୁଖ ସା ଭ୍ରମଣରେ ବମକେଇ କଲେଜ ରାସ୍ତାରେ ଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ୫ ଟାରେ ଅଭିଯୁକ୍ତ ଜୟ ଏକ ବାଇକ (ନଂ. ଓଡ଼ି ୦୭ ଏକ୍ୟୁୁ-୭୩୫୪)ରେ ଆସି ଗ୍ରାମର ବିକ୍ରମ ସିଂଙ୍କୁ ରାସ୍ତାରେ ଅଟକାଇ ଆପତ୍ତିଜନକ ଭାଷାରେ ଗାଳି କରି ଆକ୍ରମଣ କରିଥିଲେ। ବିକ୍ରମଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିଲା। ଆଖପାଖରେ ଥିବା ଲୋକେ ଦୌଡ଼ି ଆସିବାରୁ ସେ ତାଙ୍କୁ ଖଣ୍ଡା ଆଣି ଜୀବନରେ ମାରିଦେବାକୁ ଧମକ ଦେଇ ପଳାଇଥିଲେ। ଆହାତ ବିକ୍ରମ ବମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେବା ପରେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତ ଜୟଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ଗୋଷ୍ଠୀ ମଧ୍ୟରେ ଗତ ୨୦୧୮ ପଞ୍ଚାୟତ ନିର୍ବାଚନଠାରୁ ରାଜନୈତିକ ବାଦବିବାଦ ଲାଗିରହିଛି। ବିଭିନ୍ନ ଅପରାଧିକ ମାମଲାରେ ଜଡିତ ରହି ଫେରାର ଥିବା ଜୟଙ୍କୁ ଗତ ୨୦୧୮ ରେ ପୋଲିସ ଏନକାଉଣ୍ଟର କରିଥିଲେ। ତାଙ୍କ ନାଁ ରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା,ଦିଗପହଣ୍ଡି ଥାନା ଓ କେ.ନୂଆଗାଁ ଥାନାରେ ୫ରୁ ଉଦ୍ଧର୍‌ବ ଅପରାଧିକ ମାମଲା ରହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୋଲିସ ଅଭିଯୁକ୍ତ ଜୟଙ୍କ ଠାରୁ ହତ୍ୟା ଉଦ୍ୟମ ରେ ବ୍ୟବହୃତ ବାଉଁଶ ଠେଙ୍ଗା ଓ ବାଇକ ଜବତ କରିଛନ୍ତି।