ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ)- ଜଙ୍ଗଲର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କେବଳ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ନିର୍ଭର ନକରି ଅଞ୍ଚଳବାସୀ ମଧ୍ୟ ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ସିମନବାଡି ବିଭାଗରେ। ପ୍ରକାଶ ଯେ, ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ବିଭିନ୍ନ ପୁରୁଣା ବିରାଟକାୟ ମୂଲ୍ୟବାନ ଗଛକୁ କାଟିବା ପାଇଁ ଗଛର ମୂଳ ଓ ମଧ୍ୟଭାଗରେ ଗାର୍ଡଲିଂ କରାଯାଇ ତାକୁ ନଷ୍ଟ କରାଯାଉଛି। ଗଛ ନଷ୍ଟ ବା ଶୁଖିଯିବା ପରେ ତାକୁ କାଟି ବିକ୍ରି ହେଉ କି ଗଛ ରହିଥିବା ଜମିକୁ ହଡପ କରିବା ମନ୍ଦ ଉଦ୍ଦେଶ୍ୟ ରଖି ବ୍ୟକ୍ତି ଜଣକ ଏଭଳି ଗଛକୁ ନଷ୍ଟ କରିବା ପ୍ରୟାସ କରାଯାଉଛି। ଏନେଇ ନେଇ ସିମନବାଡି ବିଭାଗ ସଲାବାଡି ଗ୍ରାମର ସମ୍ରାଟ ସଲା ସାଉଁଟା ଗ୍ରାମ୍ୟ କମିଟି ଏବଂ ଆମ୍ବେଦକର ବନ ସୁରକ୍ଷା ସମିତି ଙ୍କ ସମେତ ଗ୍ରାମବାସୀ ବାଲିଗୁଡା ଡିଏଫଓଙ୍କୁ ଲିଖିତ ଅଭିଯୋଗ କରି ଏଭଳି ଗଛ ପ୍ରତି ଅତ୍ୟାଚାର କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି।
ସେମାନଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି ଯେ, ଜନଜାତି ଅଧ୍ୟ୍ୟୁଷିତ ଉକ୍ତ ଅଞ୍ଚଳରେ ଶହ ଶହ ବର୍ଷ ହେଲା ପାରମ୍ପରିକ ଆମ୍ଭ, ତେନ୍ତୁଳି, ପଣସ ଭଳି ଫଳନ୍ତି ଗଛ ରହିଛି ଯେଉଁଥିରେ କି ଜନଜାତି ସମ୍ପ୍ରଦାୟର ଲୋକ ଫଳ ଖାଇବା ସହ ତାକୁ ବଜାରରେ ବିକ୍ରି କରି ସ୍ବାବଲମ୍ବୀ ହୋଉପାରୁଛନ୍ତି। କିନ୍ତୁ ଏବେ ଉକ୍ତ ଅଞ୍ଚଳର ଏକାଧିଜ ଫଳନ୍ତି ଗଛ ସହ ମୂଲ୍ୟବାନ ଗଛକୁ ଗାଁର ଜଣେ ବ୍ୟକ୍ତି ଗାର୍ଡଲିଂ କରି ନଷ୍ଟ କରି ପରିବେଶକୁ ନଷ୍ଟ କରିବାକୁ ବସିଲାଣି। ସେହିପରି ଯେଉଁ ବ୍ୟକ୍ତି ଜଣକ ଏହି ଗଛକୁ ନଷ୍ଟ କରିଛନ୍ତି। ସେ କୁଆଡେ ଜଙ୍ଗଲ ଜମି କମିଟିର ଦାୟିତ୍ୱରେ ରହିଛନ୍ତି। ସେ ଜଙ୍ଗଲ ଜମି ତାଙ୍କ ପରିବାର ଲୋକଙ୍କ ନାମରେ କରିବା ପାଇଁ ଏଭଳି ବିରାଟକାୟ ଗଛ ନଷ୍ଟ କରି ଗଛ ନଷ୍ଟ ପରେ ଉକ୍ତ ଜମିକୁ ସେ ହଡପ କରିବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଏନେଇ କମିଟି ଡିଏଫଓଙ୍କ ସମେତ ଦାରିଙ୍ଗବାଡି ତହସିଲଦାର, ବନାଞ୍ଚଳ ଅଧିକାରୀ ଏବଂ ସ୍ଥାନୀୟ ବନପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ବନପାଳ ବନିତା ପ୍ରଧାନ ଏହାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି।