ତେହରାନ୍, ୩ା୩: ଇରାନ୍ର ନାତାଞ୍ଜ ଆଣବିକ ସ୍ଥଳ ଉପରେ ଆମେରିକା ଏବଂ ଇସ୍ରାଏଲ୍ ରବିବାର ଆକ୍ରମଣ କରିଥିବା ଅନ୍ତର୍ଜାତୀୟ ଆଣବିକ ଶକ୍ତି ସଂସ୍ଥା (ଆଇଏଇଏ)କୁ ତେହରାନ୍ ଜଣାଇଛି। ସୋମବାର ଆଇଏଇଏର ୩୫ ରାଷ୍ଟ୍ର ଗଭର୍ନର ବୋର୍ଡ ବୈଠକ ବେଳେ ଇରାନ ରାଷ୍ଟ୍ରଦୂତ ରେଜା ନଜାଫି ଖବରଦାତାମାନଙ୍କୁ ଏହା କହିଛନ୍ତି। ଇରାନ୍ର ଆଣବିକ କାର୍ଯ୍ୟକ୍ରମକୁ ନେଇ ଉତ୍ତେଜନାରୁ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଇରାନ ଅଣୁଅସ୍ତ୍ର ବିକଶିତ କରୁଥିବା ନେଇ ଗତ ଜୁନ୍ରେ ଆମେରିକା ଏହାର ଆଣବିକ ସ୍ଥଳ ଉପରେ ଆକ୍ରମଣ କରିଥିଲା। ଇରାନ୍ ଏହାର ଆଣବିକ ଭିତ୍ତିଭୂମିର ପୁନଃ ନିର୍ମାଣ କରିବ ବୋଲି ଏହାର ରାଷ୍ଟ୍ରପତି ମାସୁଦ୍ ପେଜେଶ୍କିଆନ୍ କହିଛନ୍ତି। ବିଲ୍ଡିଂ ଏବଂ କାରଖାନାକୁ ଧ୍ୱଂସ କରିବା ଆମ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ, ଆମେ ସେଗୁଡ଼ିକୁ ପୁନର୍ବାର ନିର୍ମାଣ କରିଦେବୁ ବୋଲି ପେଜେଶ୍ନିଆନ ସରକାରୀ ଗଣମାଧ୍ୟମକୁ କହିଛନ୍ତି। ତେବେ ଦେଶ ଆଣବିକ ଅସ୍ତ୍ର ଚାହେଁ ନାହିଁ। ଇରାନୀୟମାନଙ୍କ ସମସ୍ତ ସମସ୍ୟାର ସମାଧାନ ଆaମର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି।
ଅନ୍ୟପକ୍ଷରେ ଜୁନ୍ରେ ଧ୍ୱଂସ ହୋଇଥିବା ଆଣବିକ ସ୍ଥଳର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ ଲାଗି ତେହରାନ୍ ଉଦ୍ୟମ କଲେ ସାନି ଆକ୍ରମଣ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି। ସ୍ଥିତିକୁ ନେଇ ଆଇଏଇଏ ମହାନିର୍ଦ୍ଦେଶକ ରାଫାଏଲ୍ ମାରିଆନୋ ଗ୍ରୋସି ଚିନ୍ତାବ୍ୟକ୍ତ କରିବା ସହ ଆଣବିକ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ, ଯାହାର ପରିଣାମ ଭୟାବହ ହେବ ବୋଲି କହିଛନ୍ତି। ଆଣବିକ ସ୍ଥଳ ଉପରେ ଯଦି ଆକ୍ରମଣ ହୋଇଥାଏ, ତେବେ ନିକଟବର୍ତ୍ତୀ ଅଞ୍ଚଳରୁ ବହୁ ଲୋକଙ୍କୁ ଖାଲି କରିବାକୁ ପଡ଼ିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।