ବ୍ୟବସାୟୀଙ୍କୁ ଆକ୍ରମଣ ଘଟଣା: ଜଣେ ଗିରଫ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି କରଣସାହିର ଚାଟ୍‌ ବ୍ୟବସାୟୀ ସତ୍ୟନାରାୟଣ ସାହୁଙ୍କ ଠାରୁ ଟଙ୍କା ଲୁଟ ଏବଂ ଆକ୍ରମଣ ଘଟଣାରେ ପୋଲିସ ଗୁରୁବାର ଦିଗପହଣ୍ଡି ସାହାଣୀ ସାହିର ମୁରଲୀ ଦାସଙ୍କୁ ଗିରଫ କରିଛି। ତାଙ୍କୁ ମାମଲା ନଂ.୪୬/୨୫ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଏହତ ଘଟଣାରେ ଜଣେ ନାବାଳକଙ୍କ ସମ୍ପୃକ୍ତି ରହିଛି। ତାଙ୍କୁ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବା ପରେ ବ୍ରହ୍ମପୁରସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଗତ ମଙ୍ଗଳବାର ଅପରାହ୍ନରେ ବ୍ୟବସାୟୀ ସତ୍ୟନାରାୟଣ ତାଙ୍କ ଠେଲାଗାଡ଼ି ନେଇ ଯାଉଥିବା ବେଳେ ମୁରଲୀ ଏବଂ ତାଙ୍କ ସହଯୋଗୀ ମିକ୍ଚର ଏବଂ କୁରକୁରେ ଖାଇବାକୁ ମାଗିଥିଲେ। ସତ୍ୟନାରାୟଣ ପଇସା ମାଗିବାରୁ ତାଙ୍କୁ ଗାଳି ଦେବାସହ କିଛି ସାମଗ୍ରୀ ଫୋପାଡି ଦେଇଥିଲେ। ପରେ ଠେଲା ଗାଡ଼ିରୁ ୧୨ ଶହ ଟଙ୍କା ଲୁଟି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଥାନାରେ ଏତଲା ହୋଇଥିଲା।