ରାଜ୍ୟ ସ୍ତରୀୟ ବକ୍ସିଂରେ ୧ ସ୍ବର୍ଣ୍ଣ,୨ କାଂସ୍ୟ ପଦକ ହାସଲ କରି ଗୌରବ ଆଣିଲେ ଖେଳାଳି, ଛୁଟୁଛି ଶୁଭେଚ୍ଛାର ସୁଅ

ଅମରପାଲି,୨୦।୯(ପୀତାମ୍ବର ସାହୁ) ସୁବର୍ଣ୍ଣପୁର ଜିଲାର ବକ୍ସିଂ ଖେଳାଳିଙ୍କୁ ରାଜ୍ୟ ସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ସଫଳତା ମିଳିଛି। ଉକ୍ତ ପ୍ରତିଯୋଗିତାରେ ଜଣେ ପ୍ରତିଯୋଗୀ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଦୁଇ ଜଣ ପ୍ରତିଯୋଗୀ କାଂସ୍ୟ ପଦକ ହାସଲ କରି ସୁବର୍ଣ୍ଣପୁର ଜିଲା ପାଇଁ ଗୌରବ ଆଣିଛନ୍ତି। ସୂଚନା ଅନୁସାରେ ପୁରୀ ସ୍ଥିତ ଜିଲା ହାଇସ୍କୁଲରେ ୬୯ ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ବକ୍ସିଂ ପ୍ରତିଯୋଗିତା ଚଳିତ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସୁବର୍ଣ୍ଣପୁର ଜିଲାର ତିନି ଜଣ ବାଳିକା ବକ୍ସିଂରେ ଅଂଶଗ୍ରହଣ କରିଥିଲେ। ଏହି ତିନି ଜଣ ଖେଳାଳିଙ୍କ ମଧ୍ୟରୁ ଝରଣା ନାୟକଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଆଶାରାଣୀ ଧଳ ଓ ନିବେଦିତା ବେହେରାଙ୍କୁ କାଂସ୍ୟ ପଦକ ମିଳିଛି । ଆସନ୍ତା ମାସ ଶେଷ ସପ୍ତାହରେ ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ସର୍ଣ୍ଣ ପଦକ ହାସଲ କରିଥିବା ଝରଣା ନାୟକ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଝରଣା ନାୟକ ଏବେ କମିରା ବାପୁଜୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସେହିପରି ନିବେଦିତା ବେହେରା ବଡ଼କିରାସିରା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଆଶାରାଣୀ ଧଳ ଯୁବରାଜପୁର ସରକାରୀ ୟୁପି ସ୍କୁଲରେ ସପ୍ତମ ଶ୍ରେଣୀର ପଢୁଛନ୍ତି। ଜିଲାର ଏହି ତିନି କ୍ରୀଡାବିତ୍‌ଙ୍କ ସଫଳତାରେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ଏହି କ୍ରୀଡାବିତ୍‌ଙ୍କ ସଫଳତାରେ ସୁବର୍ଣ୍ଣପୁର ଜିଲା ଶିକ୍ଷା ଅଧିକାରିଣୀ ମୀନାରାଣୀ ମଣ୍ଡଳ,ଶାରୀରିକ ନିରିକ୍ଷକ ଜତିକାନ୍ତ ଭୋଇ,ବୀରମହାରାଜପୁର ବ୍ଲକ କ୍ରୀଡା ଶିକ୍ଷକ ସମ୍ପାଦକ ରଞ୍ଜିତ ପଧାନ,ବକ୍ସିଂ କୋଚ ରାଜେଶ କୁମାର ମେଣ୍ଡୁଳି ଏବଂ ବିଭିନ୍ନ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।