ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା ଘଟଣା ପଦାକୁ ଆସିଛି। ସେମାନେ ଏହାକୁ ଖାଇବାର କିଛି ସମୟ ପରେ ପାଟି ଫୁଲିଯିବା ସହ ଅସୁସ୍ଥତା ଅନୁଭବ କରିଥିଲେ। ପିଲାମାନଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇଛନ୍ତି। ଗ୍ରାମବାସୀ ଆଇସ୍‌କ୍ରିମ ବିକାଳିଙ୍କୁ ଅଟକ ରଖି ପୋଲିସ ଜିମା ଦେଇଥିଲେ। ଅନେକ ସମୟରେ ଏହିଭଳି ଘଟଣା ଘଟୁଥିଲେ ମଧ୍ୟ ତାହାକୁ ରୋକାଯାଇପାରୁ ନାହିଁ। ବିକାଳି ଯେତେ ମାତ୍ରାରେ ଦୋଷୀ ତତୋଽଧିକ ଅପରାଧୀ ହେଉଛନ୍ତି ଖାଉଟି ବଜାରରେ ଅଜଣା ଥିବା ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରୁଥିବା ସଂସ୍ଥାର ମାଲିକ। ଶୀତ ସରିବା ପରେ ଗରମ ଆରମ୍ଭ ହେବା ମାତ୍ରେ ଆଇସ୍‌କ୍ରିମ୍‌ର ଚାହିଦା ବଢ଼ିଥାଏ। ପିଲାଙ୍କ ପାଇଁ ଏହା ଆକର୍ଷଣୀୟ ହୋଇଥିବାରୁ କମ୍‌ ଦାମରେ ତାହାକୁ ଯୋଗାଇ ଦେବା ଲାଗି ଅନାମଧ୍ୟେୟ ଆଇସ୍‌କ୍ରିମ୍‌ ପ୍ରସ୍ତୁତକାରୀ ସଂସ୍ଥା ଲାଗି ପଡ଼ିଥାଆନ୍ତି। ଅଧିକାଂଶ କାରଖାନା କର୍ତ୍ତୃପକ୍ଷ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ ବେଳେ ସିଧା ପାଇପ୍‌ ଜଳକୁ ବ୍ୟବହାର ସହ ତାହାକୁ ସ୍ବାଦିଷ୍ଟ କରିବା ଲାଗି ଖାଦ୍ୟ ଅନୁପଯୋଗୀ ରାସାୟନିକ ଦ୍ରବ୍ୟ ବ୍ୟବହାର କରୁଥିବା ଖବର ଶୁଣିବାକୁ ମିଳେ। ବୁଲା ବିକାଳିଙ୍କ ବାକ୍ସ ଓ ବିକିବା ସ୍ଥାନର ସ୍ବଚ୍ଛତା ମଧ୍ୟ ପ୍ରଶ୍ନବାଚୀରେ ଥାଏ। ଫଳରେ ଅପମିଶ୍ରିତ ଆଇସ୍‌କ୍ରିମ ଖାଇବା ଦ୍ୱାରା ଛାଡ଼ାବାନ୍ତି ଯାଏ କଥା ଯାଏ। ଏହା ବିଶେଷକରି ଗ୍ରାମାଞ୍ଚଳରେ ଅଧିକ ମାତ୍ରାରେ ଦେଖାଯାଏ। ସ୍କୁଲ ଅଞ୍ଚଳ, ଗାଁ ଭିତରେ ବୁଲି ଆଇସ୍‌କ୍ରିମ ବିକୁଥିବା ବିକାଳି ପାଖରେ ପିଲାଙ୍କ ଭିଡ଼ ଜମିଥାଏ। କେହି ତାହାର ଗୁଣବତ୍ତାକୁ ପରଖି ନ ଥାଆନ୍ତି। ସେତକ କରିବାର ସୁଯୋଗ ମଧ୍ୟ ନ ଥାଏ। ପିଲାମାନଙ୍କ ପାଟିକୁ ସୁଆଦ ଲାଗିଲେ ମାତାପିତା ଓ ଅଭିଭାବକ ଖୁସ୍‌। ଏଭଳି ସ୍ଥିତିର ଫାଇଦା ନେବା ପାଇଁ ଆଇସ୍‌କ୍ରିମ କମ୍ପାନୀଗୁଡ଼ିକ ବିକାଳିଙ୍କୁ ମାଧ୍ୟମ କରିଥାଆନ୍ତି।
କେବଳ ଆଇସ୍‌କ୍ରିମ୍‌ ନୁହେଁ, ଗୁପଚୁପ୍‌, ଦହିବରା, ଚାଟ୍‌ଠାରୁ ଆରମ୍ଭ କରି ରାସ୍ତାକଡ଼ରେ ମିଳୁଥିବା ଆଖୁରସ ଓ ତରଭୁଜ ରସ ମଧ୍ୟ ଅପମିଶ୍ରିତ ହେଉଥିବା ଘଟଣା ସମୟ ବ୍ୟବଧାନରେ ବାରମ୍ବାର ଶୁଣିବାକୁ ମିଳେ। କେବଳ ଆର୍ଥିକ ଦୁର୍ବଳ ବର୍ଗର ବ୍ୟକ୍ତିମାନେ ରାସ୍ତାକଡ଼ ଖାଦ୍ୟ ପସନ୍ଦ କରନ୍ତି ତାହା ନୁହେଁ, ଘରେ ବିଶୁଦ୍ଧ ପାନୀୟ ଜଳ ପ୍ରତି ଅତ୍ୟନ୍ତ ସତର୍କ ଥିବା ଥିଲାବାଲା ଲୋକ ମଧ୍ୟ ପାଟି ଲାଳସାରେ ଅପମିଶ୍ରିତ ଖାଦ୍ୟ ଖାଇ ଅସୁସ୍ଥ ହୋଇଥାଆନ୍ତି। ପିଲା ବା ଅନେକ ଲୋକ ଅସୁସ୍ଥ ହୋଇ ଡାକ୍ତରଖାନାରେ ପଡ଼ିଲେ ସ୍ବାସ୍ଥ୍ୟ ବିଭାଗ ବିଶେଷକରି ଖାଦ୍ୟ ଯାଞ୍ଚକାରୀ ଅଧିକାରୀ ବା କର୍ମଚାରୀ ତତ୍ପର ହୋଇଉଠନ୍ତି। ତତ୍‌କ୍ଷଣାତ୍‌ କିଛି ବିକାଳି ବା ରାସ୍ତାକଡ଼ ଦୋକାନୀଙ୍କ ଉପରେ ଲୋକଦେଖାଣିଆ ଚଢ଼ାଉ କରି ଦାୟିତ୍ୱ ଶେଷ କରିଦେଇଥାଆନ୍ତି। ଗଣମାଧ୍ୟମ କିମ୍ବା ସଚେତନ ଲୋକଙ୍କ ଦୃଷ୍ଟିରେ କାର୍ଯ୍ୟ ପ୍ରତି ସଚ୍ଚୋଟ ଦେଖାଇ ହେଉଥିବା କିଛି ଫୁଡ୍‌ ଇନ୍ସପେକ୍ଟର ବଡ଼ ମେଳା କିମ୍ବା ଅଧିକ ଲୋକ ହାଉଯାଉ ହେଉଥିବା ଅଞ୍ଚଳରେ କାଁଭାଁ ଯାଞ୍ଚ କରି ଜରିମାନା କରିଥାଆନ୍ତି। ଅସଲ ଅସ୍ବାଭାବିକତା ପ୍ରତିନିୟତ ହେଉଥିଲେ ମଧ୍ୟ କ୍ରମାଗତ ଯାଞ୍ଚ କରାଯାଉ ନ ଥିବାରୁ ଅନେକ ବିକାଳି ଫୁଲାଫାଙ୍କିଆ ଅପମିଶ୍ରଣ କାମରେ ଲାଗିଥାଆନ୍ତି। ବ୍ରାଣ୍ଡ୍‌ ନ ଥିବାରୁ ପ୍ରକୃତ ଦୋଷୀଙ୍କୁ ଧରିବା ମଧ୍ୟ କଷ୍ଟକର। ତଥାପି ବାରମ୍ବାର କାର୍ଯ୍ୟାନୁଷ୍ଠାନ ହେଉଥିଲେ ଅପମିଶ୍ରଣକାରୀଙ୍କ ଭିତରେ ଗୋଟେ ଭୟ ପଶନ୍ତା।
କୁହାଯାଉଛି ଜନସଂଖ୍ୟାବହୁଳ ଭାରତବର୍ଷରେ ଯେଉଁ ଜାଗାରେ ଖାଦ୍ୟ ପସରାଟିଏ ମେଲାଇ ଦେଲେ ତାହା ବିକ୍ରି ହୋଇଯିବା ସହଜ। କ୍ୱଚିତ ବ୍ୟକ୍ତି ଖାଦ୍ୟକୁ ପରଖି ଭୋଜନ ବା ସେବନ କରିଥାଆନ୍ତି। ନ ହେଲେ ଅଧିକାଂଶ ଯେଉଁଠି ଦେଖିବେ ଟାଉଟାଉ କରି ଖାଇବାରେ ବ୍ୟସ୍ତ। ଘରେ ସ୍ବାସ୍ଥ୍ୟକର ଖାଦ୍ୟ ଥିଲେ ମଧ୍ୟ ବଜାର ଖାଇବାର ମଜା ଘରେ ମିଳେ ନାହିଁ। ଅଭିଯୋଗ ମଧ୍ୟ ଆସିଥାଏ ଯେ, କେବଳ ରାସ୍ତାକଡ଼ ଦୋକାନ ବା ଠେଲାଗାଡ଼ିରେ ବିକ୍ରି ସାମଗ୍ରୀ ନୁହେଁ, କେତେକ ବଡ଼ ହୋଟେଲରେ ଫ୍ରିଜ୍‌ରେ ଦୀର୍ଘସମୟ ରଖାଯାଇଥିବା ସାମଗ୍ରୀକୁ ରନ୍ଧନ ପ୍ରକ୍ରିୟାରେ ସ୍ବାଦିଷ୍ଟ କରାଯାଇ ଲୋକଙ୍କୁ ପରଷାଯାଇଥାଏ। ସହଜରେ ଆମେ ଫୁଡ୍‌ ଇନ୍ସପେକ୍ଟରଙ୍କୁ ଦୋଷ ଦେଇଥାଉ। କିନ୍ତୁ ଘରୁ ସଚେତନତା ଆରମ୍ଭ କରିବା କଥା, ଯାହାକୁ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ପିଲାଙ୍କୁ ବାରମ୍ବାର ସ୍ବାସ୍ଥ୍ୟ ସମ୍ପର୍କରେ ବୁଝାଇବା ଦରକାର। ଯଦି ତାହା ହୁଏ, ତେବେ ପିଲାମାନେ ମୂଳରୁ ସଜାଗ ହେବାର ସୁଯୋଗ ପାଇବେ।

Dharitri – Odisha’s No.1 Odia Daily