ଅତାବିରା, ୩ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍ଏମ୍ସି) ଅଧୀନ ଗୋଡ଼ଭଗା ଓ ଅତାବିରା ମଣ୍ଡିରୁ କେବଳ ୧୫୦ କୁଇଣ୍ଟାଲ ଅର୍ଥାତ ୩୫୩ ପ୍ୟାକେଟ ଧାନ ଉଠାଯାଇଛି। ବର୍ତ୍ତମାନ ସୁଦ୍ଧା ଅତାବିରା ଆର୍ଏମ୍ସି ଅଧୀନରେ ଅତାବିରା ବ୍ଲକର ବିଭିନ୍ନ ମଣ୍ଡିରେ ସରକାରୀ ଟୋକନ ଥିବା ଚାଷୀଙ୍କ ୪୬୬୨୩ ହଜାର ପ୍ୟାକେଟ ପଡ଼ିଥିବା ବେଳେ ବେସରକାରୀ ଭାବେ ଲକ୍ଷାଧିକ ପ୍ୟାକେଟ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି l ନାନା ଆଳ ଦେଖାଇ ଧାନକିଣାକୁ ବିଳମ୍ବିତ କରାଯାଉଥିବାରୁ ଭିନ୍ନ ଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ଦେଖିବାକୁ ମିଳିଛି।
ଅନ୍ୟପଟେ ଚଳିତ ବର୍ଷ କେନ୍ଦ୍ରସରକାର ଏମ୍ଏସ୍ପି ଉପରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି l ଯାହାକି ଧାନର ସହାୟକ ମୂଲ୍ୟ ୨୩୬୯ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆ ଯାଇଥିବା ୮୦୦ଟଙ୍କା ବୋନସକୁ ମିଶାଇଲେ ଚାଷୀ ତାର ପ୍ରାପ୍ୟ କୁଇଣ୍ଟଲ ପିଛା ୩୧୬୯ ଟଙ୍କା ପାଇବା କଥା। କିନ୍ତୁ ବର୍ତ୍ତମାନ ସରକାର କହିଛନ୍ତି ଚାଷୀ କେବଳ ୩୧୦୦ ଟଙ୍କା ହିଁ ପାଇବ। ତେବେ ବର୍ଦ୍ଧିତ ଏମ୍ଏସ୍ପି ଗଲା କୁଆଡେ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।