Categories: Home Leftଖେଳ

୯ ବର୍ଷ ବୟସରେ ପଣ୍ଟିଂଙ୍କ ବ୍ୟାଟିଂ ଦେଖି ଭୟରେ ନିୟମ ବଦଳାଇ ଦେଇଥିଲା ସ୍କୁଲ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରାକ୍ତନ ଅଧିନାୟକ ରିକି ପଣ୍ଟିଂ ତାଙ୍କ ନେତୃତ୍ୱରେ ଦେଶକୁ ୨ଥର ବିଶ୍ୱ ଚାମ୍ପିୟନ କରାଇଛନ୍ତି। ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବେ ବିବେଚନା କରାଯାଏ। ପଣ୍ଟିଂଙ୍କ ନେତୃତ୍ୱଶୈଳୀ ଯେଉଁଭଳି ଉଚ୍ଚକୋଟୀର ବ୍ୟାଟିଂ ଦକ୍ଷତା ମଧ୍ୟ ସେହିଭଳି ଆହୁରି ଭଲ ଥିଲା। ପଣ୍ଟିଂଙ୍କ ବ୍ୟାଟିଂ ଦକ୍ଷତା ପିଲାଦିନରୁ ହିଁ ପରିସ୍ପୁଟିତ ହୋଇଥିଲା। ସେ ସ୍କୁଲରେ ଖେଳୁଥିବାବେଳେ ପ୍ରତିପକ୍ଷ ବୋଲରଙ୍କୁ ନିର୍ଘାତ ପ୍ରହାର କରୁଥିଲେ। ପଣ୍ଟିଂଙ୍କ ବ୍ୟାଟିଂରେ ଭୟଭୀତ ହୋଇ ତାସମାନିଆ ଷ୍ଟେଟ୍‌ ସ୍କୁଲ କ୍ରିକେଟ୍‌ ନିୟମରେ ପରିବର୍ତ୍ତନ କରାଯାଇଥିଲା।


ପଣ୍ଟିଂଙ୍କୁ ମାତ୍ର ୯ ବର୍ଷ ବୟସ ହୋଇଥିଲା ସେହି ସିଜନ ସାରା ସେ କେବେ ହେଲେ ଆଉଟ୍‌ ହୋଇ ନ ଥିଲେ। ଏହି କାରଣରୁ ତାସମାନିଆ ଷ୍ଟେଟ୍‌ ସ୍କୁଲ କ୍ରିକେଟ୍‌ରେ ଏକ ନୂଆ ନିୟମ ପ୍ରଣୟନ କରାଯାଇଥିଲା। ଯେଉଁ ବ୍ୟାଟ୍ସମ୍ୟାନ ୩୦ ରନ୍‌ କରିବ ଏହାପରେ ସେ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନ ଫେରିବ। ଏକ ସାକ୍ଷାତ୍‌କାର ଅବସରରେ ଏହି ମହାନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ କହିଛନ୍ତି, ‘ସ୍କୁଲ କ୍ରିକେଟ୍‌ର ପ୍ରଥମ ସିଜନରେ ମୁଁ ଆଉଟ୍‌ ହୋଇ ନ ଥିଲି। ଏହି କାରଣରୁ ପରବର୍ତ୍ତୀ ବର୍ଷ ଖେଳ ନିୟମରେ ପରିବର୍ତ୍ତନ କରାଯାଇଥିଲା। ନୂତନ ନିୟମ ଅନୁଯାୟୀ ଯେଉଁ ବ୍ୟାଟ୍ସମ୍ୟାନ ୩୦ ରନ୍‌ ସଂଗ୍ରହ କରିବ ସେ ରିଟାୟାର୍ଡ ହର୍ଟ ହୋଇ ଫେରିବ। କିନ୍ତୁ ମୁଁ ଅଧିକ ସମୟ କ୍ରିଜରେ ରହିବା ଲାଗି ଓଭରର ପ୍ରଥମ ୫ଟି ବଲରେ ରନ୍‌ ସଂଗ୍ରହ କରୁ ନ ଥିଲି। କିନ୍ତୁ ଅନ୍ତିମ ବଲରେ ଏକ ରନ ନେଇ ନନ୍‌ ଷ୍ଟ୍ରାଇକ ପାର୍ଶ୍ୱକୁ ଯାଇ ପୁଣି ପରବର୍ତ୍ତୀ ଓଭର ବ୍ୟାଟିଂ କରୁଥିଲି। ଯେତେବେଳେ ନନ୍‌ ଷ୍ଟ୍ରାଇକ ପାର୍ଶ୍ୱ ଅମ୍ପାୟରଙ୍କ ନିକଟକୁ ଯାଉଥିଲି ମୋ ସ୍କୋର ବୁଝି ନେଉଥିଲି। ୨୯ ରନ ହୋଇ ଯାଇଥିଲେ ୪ କିମ୍ବା ୬ ମାରି ଦେଉଥିଲି।’ ପଣ୍ଟିଂ ଅଷ୍ଟ୍ରେଲିଆ ପକ୍ଷରୁ ୧୬୮ ଟେଷ୍ଟ ଓ ୩୭୫ ଦିନିକିଆ ମ୍ୟାଚ୍‌ ଖେଳି ଯଥାକ୍ରମେ ୧୩,୩୭୮ ଓ ୧୩,୭୦୪ ରନ କରିଛନ୍ତି। ଉଭୟ ଫର୍ମାଟ୍‌ରେ ତାଙ୍କ ନାମରେ ୭୧ ଶତକ ଲିପିବଦ୍ଧ ରହିଛି।