ନୂଆଦିଲ୍ଲୀ,୨୫।୧୨: ମାଲାୟାଲମ ଲେଖକ ଏମ.ଟି ବାସୁଦେବନ ନାୟାରଙ୍କ ୯୧ ବର୍ଷ ବୟସରେ ପରଲୋକ ଘଟିଛି। ଡିସେମ୍ବର ୧୫ ରେ ଶ୍ୱାସ ନେବାରେ ଅସୁବିଧା ହେତୁ ତାଙ୍କୁ କୋଜିକୋଡେସ୍ଥିତ ବେବି ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି। ‘ନାଲୁକେଟ’, ‘ରାଣ୍ଡାମୁଜମ’, ‘ବାରାଣାସୀ’ ଏବଂ ‘ଅନ୍ଧକାରର ଆତ୍ମା’ ଭଳି ରଚନା ତାଙ୍କୁ ସାହିତ୍ୟ ଜଗତରେ ଖ୍ୟାତି ଦେଇଥିଲା।
ମାଲାୟାଲମ ସିନେମାରେ ବାସୁଦେବନଙ୍କ ଯୋଗଦାନ ରହିଛି। ସେ ‘ନିର୍ମଳାୟମ’, ‘ପେରୁଣ୍ଟାଚାନ’, ‘ରାଣ୍ଡାମୁଜମ’ ଏବଂ ‘ଅମୃତମ ଗାମୟା’ ସମେତ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଥିଲେ। ନିଜର ସାହିତ୍ୟ କୃତି ଲାଗି ୧୯୯୬ ମସିହାରେ ତାଙ୍କୁ ଜ୍ଞାନପୀଠ ଏବଂ ୨୦୦୫ ରେ ପଦ୍ମ ଭୂଷଣ ଭଳି ସମ୍ମାନରେ ସମ୍ମାନୀତ କରାଯାଇଥିଲା।