Categories: Home Leftଖେଳ

ଟେଷ୍ଟରେ ପନ୍ତ ବିଶ୍ୱର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଉଇକେଟକିପର

ଦୁବାଇ,୨୦।୧: ବ୍ରିସବେନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଉଇକେଟକିପର ଋଷଭ ପନ୍ତ ୮୯ ରନ୍‌ର ସିରିଜ୍‌ ବିଜୟୀ ପାଳି ଖେଳିଥିଲେ। ଏଥି ଯୋଗୁ ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ତାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଆସିଛି ଉନ୍ନତି। ସେ ଏବେ ୧୩ତମ ସ୍ଥାନ ଅଧିକାର କରିଛନ୍ତି। ଏହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା। ଆଉ ଏହା ସହିତ ବିଶ୍ୱର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଉଇକେଟକିପର ହେବାର ସୌଭାଗ୍ୟ ଲାଭ କରିଛନ୍ତି ପନ୍ତ। ଏହା ଦର୍ଶାଇଛି ବୁଧବାର ପ୍ରକାଶ ପାଇଥିବା ଆଇସିସିର ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଆଟାକିଂ ବ୍ୟାଟିଂ କରିଥିବା ପନ୍ତଙ୍କ ନିକଟରେ ଏବେ ୬୯୧ ପଏଣ୍ଟ ରହିଛି। ତାଙ୍କ ପଛକୁ ୬୭୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଉଇକେଟକିପର କୁଇଣ୍ଟନ୍‌ ଡି’କକ୍‌ (ବିଶ୍ୱ ମାନ୍ୟତାର ୧୫ ତମ ବ୍ୟାଟ୍ସମ୍ୟାନ)। ବ୍ରିସବେନ ଟେଷ୍ଟରେ ୯୧ ରନ୍‌ର ଇନିଂସ ଖେଳିଥିବା ଯୁବ ଭାରତୀୟ ଓପନର ଶୁବମାନ ଗିଲ ଆଇସିସି ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ୨୧ଟି ସୋପାନ ଉପରକୁ ଉଠି ହାସଲ କରିଛନ୍ତି ୪୭ତମ ସ୍ଥାନ। ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଚେତ୍ତେଶ୍ୱର ପୂଜାରା ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।