ଓ୍ବାଶିଂଟନ୍, ୬।୨: ଫୁଟବଲ ପଡ଼ିଆ ଆକାରର ଏକ କ୍ଷୁଦ୍ର ଗ୍ରହ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ଗତି କରୁଛି। ଏନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ୨୦୩୨ରେ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବାର ଅଧିକ ସମ୍ଭାବନା ରହିଥିବା ନେଇ ଜ୍ୟୋତିର୍ବିଜ୍ଞାନିକମାନେ ଆକଳନ କରିଛନ୍ତି। ଆବୁଧାବୀସ୍ଥିତ ଇଣ୍ଟରନ୍ୟାଶନାଲ ଆଷ୍ଟ୍ରୋନୋମି ସେଣ୍ଟର (ଆଇଏସି) ଅନୁଯାୟୀ, ‘୨୦୨୪ଓ୍ବାଇଆର୍୪’ ନାମକ ଏକ କ୍ଷୁଦ୍ରଗ୍ରହ ୨୦୩୨ରେ ପୃଥିବୀର ସବୁଠାରୁ ନିକଟତର ହେବ। ଏହି ସମୟର ଏହା ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି। ଗତ ବର୍ଷ ଡିସେମ୍ବର ୨୭ରେ ନାସାର ‘ଆଷ୍ଟେରୋଏଡ ଟେରେଷ୍ଟ୍ରିଆଲ ଇମ୍ପାକ୍ଟ ଫାଇନାଲ ଓ୍ବାର୍ନିଂ ସିଷ୍ଟମ(ଆଟ୍ଲାସ)’ ପକ୍ଷରୁ ଆବିଷ୍କୃତ ଏହି ଆଷ୍ଟେରଏଡର ବ୍ୟାସାର୍ଦ୍ଧ ୪୦ରୁ ୧୦୦ ମିଟର ପର୍ଯ୍ୟନ୍ତ ରହିଛି। ଏହି ଆକାରର କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହେବା ଦ୍ୱାରା ଅନେକ କ୍ଷୟକ୍ଷତି ଘଟିବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ପୃଥିବୀ ସହ ‘୨୦୨୪ଓ୍ବାଇଆର୍୪’ କ୍ଷୁଦ୍ରଗ୍ରହର ଧକ୍କା ହେବାର ସମ୍ଭାବନାକୁ ନେଇ ସମ୍ପ୍ରତି ଜ୍ୟାତିର୍ବିଜ୍ଞାନିକମାନେ ବିଶ୍ଳେଷଣ ଜାରି ରଖିଛନ୍ତି।