ସମ୍ବଲପୁର,୭।୨(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ବବିଦ୍ୟାଳୟର ଏମ୍ବିଏ ବିଭାଗର ଗବେଷଣାରତ ଜଣେ ପିଏଚ୍ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲା। ଉକ୍ତ ରିପୋର୍ଟ ଆଧାରରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଗାଇଡ ତଥା ସହକାରୀ ପ୍ରଫେସର ଡ. ସରୋଜ ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରୁ ନିଲମ୍ବିତ କରାଯାଇଛି। ଉକ୍ତ ନିଲମ୍ବନ ଆଦେଶ ଅନୁସାରେ ତାଙ୍କୁ ଶୈକ୍ଷିକ ଓ ପ୍ରଶାସନିକ ଦାୟିତ୍ୱରୁ ମୁକ୍ତ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ସେ ଅନ୍ୟ କୌଣସି ଅନୁଷ୍ଠାନ ସହ ଜଡ଼ିତ ହୋଇ ପାରିବେ ନାହିଁ। ଏହି ସମୟ ମଧ୍ୟରେ ସେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କୋଠା ବା ସ୍ନାତକୋତ୍ତର ବିଭାଗର କୌଣସି ବିଭାଗକୁ ଯାଇପାରିବେ ନାହିଁ। ଏପରିକି ପ୍ରାକ ଅନୁମତି ବିନା କେନ୍ଦ୍ରୀୟ ପାଠାଗାରକୁ ମଧ୍ୟ ଯାଇପାରିବେ ନାହିଁ। ଏପରିକି କର୍ତ୍ତୃପକ୍ଷଙ୍କ କୌଣସି ପ୍ରାକ ଅନୁମତି ବିନା ମୁଖ୍ୟାଳୟରେ ଅନୁପସ୍ଥିତ ରହିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ନିଲମ୍ବନ ଅବଧି ମଧ୍ୟରେ ତାଙ୍କୁ ସ୍ନାତକୋତ୍ତର ପରିଷଦ କାର୍ଯ୍ୟାଳୟରେ ତାଙ୍କ କାର୍ଯ୍ୟକୁ ସୀମିତ ରଖାଯାଇଥିବା ତାଙ୍କ ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି।