ସିମ୍କେଣ୍ଟ(କାଜାଖସ୍ତାନ),୨୩ା୮: ଭାରତର ଅର୍ଜୁନ ବବୁତା ଓ ଏଲାଭେନିଲ ଭାଲରିଭାନ ଶନିବାର ଅନୁଷ୍ଠିତ ୧୬ତମ ଏସିଆନ ଶୁଟି ଚାମ୍ପିୟନଶିପ୍ ୧୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
ଭାରତୀୟ ଯୋଡ଼ି ଚାଇନାର ଡିଙ୍ଗ୍କେ ଲୁ’ ଓ ଜିନ୍ଲୁ ପେଙ୍ଗ୍ଙ୍କୁ ୧୭-୧୧ରେ ପରାସ୍ତ କରି ପୋଡିୟମ ଶୀର୍ଷରେ ରହିଥିଲେ। ଫଳରେ ତାମିଲନାଡୁର ଏଲାଭେନିଲ ଓ ପଞ୍ଜାବର ୨୬ ବର୍ଷୀୟ ବବୁତା ବର୍ତ୍ତମାନ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଦୁଇଟି ଲେଖାଏ ସ୍ବର୍ଣ୍ଣ ପଦକ ଲାଭ କରିବାରେ ସମର୍ଥ ହୋଇଛନ୍ତି।
ଏଲାଭେନିଲ ପୂର୍ବରୁ ମହିଳା ୧୦ମିଟର ଏୟାର ରାଇଫଲ ପ୍ରତିଯୋଗିତାର ଟେବୁଲ ଶୀର୍ଷରେ ରହିଥିବା ବେଳେ ବବୁତା ଏବଂ ରୁଦ୍ରଂଶ ପାଟିଲ ଓ କିରଣ ଯାଦବଙ୍କ ସହ ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟ ଜିତିଛନ୍ତି।
ଅନ୍ୟପକ୍ଷରେ ଜୁନିୟର ଇଭେଣ୍ଟରେ ଭାରତୀୟ ଯୋଡ଼ି ସମ୍ଭାବୀ ଶ୍ରବଣ ଓ ନାରାଏନ ପ୍ରଣବ ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ୍ ଇଭେଣ୍ଟରେ ସ୍ବର୍ଣ୍ଣ ପାଇଛନ୍ତି। ସେମାନେ ଚାଇନାକୁ ୧୬-୧୨ରେ ପରାସ୍ତ କରିଛନ୍ତି। କ୍ୱାଲିଫିକେଶନରେ ଭାରତୀୟ ଦଳ ଚାଇନାର ଦୁଇଟି ଟିମ୍ ପଛରେ ତୃତୀୟ ସ୍ଥାନରେ ରହିଥିଲା। ମାତ୍ର ଫାଇନାଲରେ ଗୋଟିଏ ଦେଶର ଗୋଟିଏ ଦଳ ଭାଗ ନେଇପାରିବ। ଫଳରେ ତାଙ୍ଗ ହୁଇକି ଓ ହାନ୍ ୟିନାନ୍ଙ୍କୁ ନେଇ ଦଳ କ୍ୱାଲିଫିକେଶନରେ ଶୀର୍ଷ ସ୍ଥାନ ଅଧିକାର କରି ଫାଇନାଲକୁ ଉନ୍ନୀତ ହୋଇଥିଲା।
କ୍ୱାଲିଫିକେଶନରେ ଭାରତୀୟ ଦଳ ମୋଟ ୬୨୯.୫ ସ୍କୋର କରିଥିବା ବେଳେ ଚାଇନା-୨ (୬୩୨/୩) ଓ ଚାଇନା-୧ (୬୩୦)ସହ ପଛକୁ ତୃତୀୟ ସ୍ଥାନରେ ରହିଥିଲା।