କୁଆଲାଲୁମ୍ପୁର,୧୬ା୩: ଆସନ୍ତା ଜୁନରେ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଥିବା ଫିଫା ବିଶ୍ୱକପ୍ରେ ଇରାନ ଖେଳିବ। ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍ସି) ପକ୍ଷରୁ ସୋମବାର ଅବଗତ କରାଯାଇଛି।
ବର୍ତ୍ତମାନ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଜାରି ରହିଥିବାରୁ ଇରାନ ଦଳ ବିଶ୍ୱକପ୍ରେ ଖେଳିବ କି ନାହିଁ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ଏହି ସମ୍ପର୍କରେ ଏଏଫ୍ସିର ସାଧାରଣ ସମ୍ପାଦକ ଓ୍ୱିଣ୍ଡସର ଜନ କହିଛନ୍ତି, ଇରାନ ଆମ ସଦସ୍ୟ। ଆମେ ଚାହୁଁ ସେମାନେ ଖେଳନ୍ତୁ।
ଏହା ଏକ ଖୁବ ଭାବବିହ୍ୱଳ ମୁହୂର୍ତ୍ତ। ଅନେକ ଲୋକ ଅନେକ କଥା କହୁଛନ୍ତି। ଶେଷରେ ଇରାନ ଦଳ ବିଶ୍ୱକପ୍ରେ ଖେଳିବ କି ନାହିଁ, ସେ ସମ୍ପର୍କରେ ଇରାନ ଫୁଟବଲ ଫେଡେରେଶନ ଅନ୍ତିମ ନିଷ୍ପତ୍ତି ନେବ। ତେବେ ଗତ ସପ୍ତାହରେ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକପୂର୍ଣ୍ଣ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଇରାନର ଜାତୀୟ ଫୁଟବଲ ଦଳ ପକ୍ଷରୁ କୁହାଯାଇଥିଲା ଯେ, ଆମକୁ କେହି ବିଶ୍ୱକପ୍ରେ ଖେଳିବାରୁ ରୋକିପାରିବେ ନାହିଁ।