ଏସିଆ କପ୍‌: ଆଜି ଭାରତ-ପାକିସ୍ତାନ ହାଇ-ଭୋଲଟେଜ୍ ମ୍ୟାଚ୍

ଦୁବାଇ,୧୪ା୯: ଏସିଆ କପ୍‌ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟର ଗ୍ରୁପ୍‌-ଏ’ରେ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ଭୋଲ୍‌ଟେଜ୍‌ ମ୍ୟାଚ୍‌କୁ ନେଇ ଦୁଇ ଦେଶ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ସମସ୍ତେ ପୁରୁଷ ଥିଲେ। ଜବାବରେ ଭାରତ ପକ୍ଷରୁ ଅପରେଶନ ସିନ୍ଦୂର କରାଯାଇଥିଲା। ଏହି ଘଟଣାକୁ ୫ ମାସ ପୂରି ନଥିବା ବେଳେ ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ପ୍ରବଳ ବିରୋଧ କରାଯାଉଛି। ମୃତକଙ୍କ ପରିବାରବର୍ଗଙ୍କ ପକ୍ଷରୁ ମ୍ୟାଚ୍‌କୁ ବର୍ଜନ କରିବାକୁ ଦାବି କରାଯାଉଛି। ପହଲଗାମ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ସ୍ତ୍ରୀ ଐଶାନ୍ୟା ଦ୍ୱିବେଦୀ କହିଛନ୍ତି ଯେ, ପାକିସ୍ତାନ ସହ ଭାରତ ମ୍ୟାଚ୍‌ ଖେଳିବା ଉଚିତ ନୁହେଁ। ପହଲଗାମରେ ପ୍ରାଣ ହରାଇଥିବା ୨୬ ଜଣଙ୍କ ପ୍ରତି ବିସିସିଆଇର କୌଣସି ସକାରାତ୍ମକ ମନୋଭାବ ନଥିଲା ଭଳି ମନେହେଉଛି। ସେମାନଙ୍କ ପରିବାରର କେହି ପ୍ରାଣ ହରାଇ ନ ଥିବାରୁ ସେମାନଙ୍କ ଲାଗି ଏହା ମୂଲ୍ୟହୀନ। କ୍ରିକେଟରମାନେ କାହିଁକି ପାକିସ୍ତାନ ସହ ଖେଳୁଛନ୍ତି। ଖେଳାଳିମାନେ ମଧ୍ୟ ନିଜ ପକ୍ଷ ରଖିପାରିବେ। ଏପରିକି ମ୍ୟାଚ୍‌ ବାତିଲ ପାଇଁ ସୁପ୍ରିମକୋର୍ଟରେ ମଧ୍ୟ ଏକ ଆବେଦନ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, କ୍ରିକେଟ୍‌ ଦୁଇ ଦେଶ ମଧ୍ୟରେ ବନ୍ଧୁତା ଓ ସମନ୍ବୟକୁ ଦର୍ଶାଏ। କିନ୍ତୁ ଆମ ସୈନ୍ୟମାନେ ବଳିଦାନ ଦେଉଥିବା ବେଳେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ସହ ମ୍ୟାଚ୍‌ ଖେଳିବା ଭୁଲ ବାର୍ତ୍ତା ଦେବ ଏବଂ ସଶସ୍ତ୍ର ବାହିନୀର ମନୋବଳକୁ ଦୁର୍ବଳ କରିବ। କିନ୍ତୁ ସୁପ୍ରିମକୋର୍ଟ ଆବେଦନକୁ ଖାରଜ କରିଥିଲେ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ମ୍ୟାଚ୍‌କୁ ବିରୋଧ କରାଯାଉଛି। ଶିବ ସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ, ଯୁଦ୍ଧ ଓ କ୍ରିକେଟ୍‌ ଏକା ସମୟରେ କେମିତି ଚାଲିପାରିବ। ସେମାନେ ଦେଶଭକ୍ତିକୁ ଏକ ବ୍ୟାପାର କରିଦେଇଛନ୍ତି। ସେମାନଙ୍କୁ କେବଳ ଟଙ୍କା ଦରକାର। ଅନ୍ୟପକ୍ଷରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ଯେ, ଏସିସି ଓ ଆଇସିସି ଦ୍ୱାରା ଯେତେବେଳେ ବହୁଦେଶୀୟ ଟୁର୍ନାମେଣ୍ଟ ଆୟୋଜନ କରାଯାଏ, ସେତେବେଳେ ମ୍ୟାଚ୍‌ ଖେଳିବା ବାଧ୍ୟବାଧକତା ହୋଇଯାଏ। ଯଦି ସେମାନେ ମ୍ୟାଚ୍‌ ଖେଳିବେ ନାହିଁ, ତେବେ ସେମାନଙ୍କୁ ଟୁର୍ନାମେଣ୍ଟରୁ ବିଦାୟ ନେବାକୁ ପଡ଼ିବ। ସେମାନଙ୍କୁ ମ୍ୟାଚ୍‌ରୁ ଓହରିବାକୁ ପଡ଼ିବ ଓ ପ୍ରତିପକ୍ଷ ଦଳକୁ ପଏଣ୍ଟ୍ସ ମିଳିବ। କିନ୍ତୁ ପାକିସ୍ତାନ ସହ ଭାରତ କୌଣସି ଦ୍ୱିପାକ୍ଷିକ ଟୁର୍ନାମେଣ୍ଟ ଖେଳେ ନାହିଁ। ତେବେ ଉଭୟ ଭାରତ ଓ ପାକିସ୍ତାନ ଏସିଆ କପ୍‌ ଟୁର୍ନାମେଣ୍ଟରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ଦୁଇ ଦଳ ଯଥାକ୍ରମେ ସେମାନଙ୍କ ପ୍ରଥମ ମ୍ୟାଚ୍‌ରେ ୟୁଏଇ ଓ ଓମାନକୁ ହରାଇଛନ୍ତି। ଦୁଇ ଦଳ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ୩ ଥର ପରସ୍ପରକୁ ଭେଟିପାରନ୍ତି।

Share