Categories: Home Middleଖେଳ

ପାକିସ୍ତାନକୁ ଧୂଳି ଚଟାଇ ଭାରତ ଏସିଆ କପ୍ ଚାମ୍ପିୟନ

ଦୁବାଇ: ଭାରତ ଏସିଆ କପ୍ ୨୦୨୫ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଫାଇନାଲରେ ପାକିସ୍ତାନକୁ ରୋମାଞ୍ଚକର ମୁକାବିଲାରେ ପରାସ୍ତ କରି ଭାରତ ଟ୍ରଫି ଉଠାଇଛି। ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ଅର୍ଦ୍ଧଶତକ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ୧୯.୧ ଓଭରରେ ୧୪୬ ରନରେ ଅଲଆଉଟ ହୋଇଥିଲା। ପାକିସ୍ତାନର ଓପନର ସାହିବଜାଦା ଫରହାନ (୩୮ ବଲରେ ୫୭) ଏବଂ ଫଖର ଜମାନ (୩୫ ବଲରେ ୪୬) ଦମଦାର ଆରମ୍ଭ ଦେଇଥିଲେ। ମାତ୍ର ଭାରତୀୟ ସ୍ପିନର କୁଲଦୀପ ଯାଦବ, ବରୁଣ ଚକ୍ରବର୍ତୀ ଏବଂ ଅକ୍ଷର ପଟେଲଙ୍କ ସ୍ପିନ ଜାଲରେ ପାକିସ୍ତାନର ମଧ୍ୟକ୍ରମ ଧ୍ୱସ୍ତ ହୋଇଥିଲା। କୁଲଦୀପ ଯାଦବ ୪ଟି ଓକେଟ ନେଇ ଅସାଧାରଣ ପ୍ରଦର୍ଶନ କରିଥିବା ବେଳେ ବରୁଣ ଚକ୍ରବର୍ତୀ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓକେଟ ନେଇ ତାଙ୍କୁ ସମର୍ଥନ କରିଥିଲେ। ଜସପ୍ରୀତ ବୁମରାହ ମଧ୍ୟ ୨ଟି ଓକେଟ ନେଇ ପାକିସ୍ତାନର ରନ ଗତିକୁ ରୋକିଥିଲେ।

ଜବାବରେ ଭାରତୀୟ ଦଳର ଆରମ୍ଭ ଖରାପ ଥିଲା। ଓପନର ଅଭିଷେକ ଶର୍ମା (୫), ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧) ଏବଂ ଶୁଭମନ ଗିଲ (୧୨) ଶୀଘ୍ର ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୨୪ ରନ କରି କିଛି ସମୟ ଟିକିଥିଲେ, କିନ୍ତୁ ତିଲକ ବର୍ମାଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ବିଜୟୀ ହୋଇଥିଲା।

Share