Categories: Home Leftଖେଳ

ଏସିଆ କପ୍‌ ଟ୍ରଫି ବିବାଦ : ନିଜ ଜିଦିରେ ଅଟଳ ନକ୍‌ଭି

ନୂଆଦିଲ୍ଲୀ,୨୧ା୧୦: ଏସିଆ କପ୍‌ ଟ୍ରଫିକୁ ନେଇ ଲାଗି ରହିଥିବା ବିବାଦ ଶେଷ ହେବାର ନାଁ ନେଉନାହିଁ। ଟୁର୍ନାମେଣ୍ଟ ଶେଷ ହେବାକୁ ୩ ସପ୍ତାହରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଟ୍ରଫି ଏପର୍ଯ୍ୟନ୍ତ ଚାମ୍ପିୟନ ଭାରତ ପାଖରେ ପହଞ୍ଚି ନାହିଁ। ଶ୍ରୀଲଙ୍କା ଓ ଆଫଗାନିସ୍ତାନ ବୋର୍ଡର ସମର୍ଥନରେ ବିସିସିଆଇ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଏସିଆନ୍‌ କ୍ରିକେଟ କାଉନ୍‌ସିଲ(ଏସିସି) ମୁଖ୍ୟ ଥିବା ପାକିସ୍ତାନର ମନ୍ତ୍ରୀ ମହସିନ ନକ୍‌ଭି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ସମ୍ପାଦକ, ବିସିସିଆଇର ଏସିସି ପ୍ରତିନିଧି ରାଜୀବ ଶୁକ୍ଲା ଓ ଏସିସିର ଅନ୍ୟ ସଦସ୍ୟ ବୋର୍ଡ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଗତ ସପ୍ତାହରେ ଭାରତକୁ ଟ୍ରଫି ପ୍ରଦାନ ଲାଗି ଏସିସି ସଭାପତି ନକ୍‌ଭିଙ୍କୁ ମେଲ୍‌ କରିଥିଲେ। ଏହାର ଉତ୍ତରରେ ବିସିସିଆଇରୁ କେହି ଜଣେ ଦୁବାଇ ଆସି ତାଙ୍କଠାରୁ ଟ୍ରଫି ନେଇଯିବା ଉଚିତ୍‌ ବୋଲି ନକ୍‌ଭି ଲେଖିଥିଲେ।

ଏଥିଯୋଗୁ ଏହି ବିଷୟ ଆଗକୁ ବଢ଼ିପାରୁନାହିଁ। ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭାରତ ନକ୍‌ଭିଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ। ଏଣୁ ଏହି ସମ୍ପର୍କରେ ନଭେମ୍ବରରେ ହେବାକୁ ଥିବା ଆଇସିସି ବୈଠକରେ ନିଷ୍ପତ୍ତି ନିଆଯିବାର ବିଶେଷ ସମ୍ଭାବନା ରହିଛି ବୋଲି ଏସିସି ପକ୍ଷରୁ କୁହାଯାଇଛି।