ନୂଆଦିଲ୍ଲୀ,୧୬।୯: ଏସିଆ କପ ୨୦୨୫ର ଭାରତ-ପାକିସ୍ତାନ ମ୍ୟାଚ ସବୁବେଳେ ଶିରୋନାମାରେ ରହିଛି। ଏହି ହାଇ-ଭୋଲଟେଜ ମ୍ୟାଚରେ ଭାରତ ପାକିସ୍ତାନକୁ ୭ ଉଇକେଟ୍ରେ ପରାସ୍ତ କରି ଏକ ଚମତ୍କାର ବିଜୟ ହାସଲ କରିଛି। ଗୋଟିଏ ପଟେ, ପଡ଼ିଆରେ ଟିମ ଇଣ୍ଡିଆର ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଆଲୋଚନା ହେଉଥିଲା, ଅନ୍ୟପଟେ, ପାକିସ୍ତାନୀ ଦଳର ନୂତନ ଜର୍ସି ମଧ୍ୟ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।
ମ୍ୟାଚ ସମୟରେ ଅନେକ ପ୍ରଶଂସକ ପାକିସ୍ତାନର ସବୁଜ ଜର୍ସି ଦେଖିଥିଲେ। ସେମାନଙ୍କ ଜର୍ସିରେ ଖେଳାଳିଙ୍କ ନମ୍ବର ତଳେ ଉର୍ଦ୍ଦୁରେ କିଛି ଲେଖାଯାଇଥିଲା, ଯାହା ପ୍ରଥମ ଥର ପାଇଁ ଦେଖାଯାଇଥିଲା। ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଏହି ନୂତନ ପରିବର୍ତ୍ତନ କାହିଁକି କରାଯାଇଛି ଏବଂ ଏଥିରେ କ’ଣ ଲେଖାଯାଇଛି?
ତଦନ୍ତ କରିବା ପରେ ଜଣାପଡିଥିଲା ଯେ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ନିକଟରେ ଦଳର ଜର୍ସି ପରିବର୍ତ୍ତନ କରି ଏକ ନୂତନ ଡିଜାଇନ ଲଞ୍ଚ କରିଛି। ଏହି ଜର୍ସିରେ, ଖେଳାଳିଙ୍କ ନମ୍ବର ତଳେ ଉର୍ଦ୍ଦୁ ଭାଷାରେ ‘ପାକିସ୍ତାନ’ ଲେଖାଯାଇଛି। ଦଳର ଜାତୀୟ ପରିଚୟ ଏବଂ ସାଂସ୍କୃତିକ ସଂଯୋଗ ଦେଖାଇବା ଲକ୍ଷ୍ୟରେ ଏହି ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଜର୍ସିର କେବଳ ନମ୍ବର ଏବଂ ଇଂରାଜୀରେ ‘ପାକିସ୍ତାନ‘ ନାମ ଥିଲା, କିନ୍ତୁ ଏଥର ଉର୍ଦ୍ଦୁକୁ ମଧ୍ୟ ସ୍ଥାନ ଦିଆଯାଇଛି।
ମ୍ୟାଚ ସମୟରେ ଖେଳାଳିଙ୍କ ଜର୍ସିର ଏହି ନୂତନ ପରିବର୍ତ୍ତନ କ୍ୟାମେରାରେ କଏଦ ହେବା ମାତ୍ରେ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଥିଲା ଏବଂ ଅନେକ ପାକିସ୍ତାନୀ ପ୍ରଶଂସକ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।