ମୋଦିଙ୍କ ବିରୋଧରେ ବିଷ ଓଗାଳିଲେ ନକ୍‌ଭି: କହୁ କହୁ କହିଦେଲେ…

ଦୁବାଇ,୨୯।୯: ଦୁବାଇରେ ଖେଳାଯାଇଥିବା ଏସିଆ କପର ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଛି। କିନ୍ତୁ, ମ୍ୟାଚ ପରେ ପୁରସ୍କାର ପ୍ରଦାନ ଉତ୍ସବରେ ବିବାଦ ଦେଖାଦେଇଥିଲା। ଭାରତୀୟ ଦଳ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଏବଂ ମନ୍ତ୍ରୀ ମୋହସିନ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲା।

ଭାରତୀୟ ଦଳ ମୋହସିନଙ୍କ ରାଜନୈତିକ ସ୍ଥିତି ଏବଂ ଭାରତ ବିରୋଧୀ ମନୋଭାବକୁ କାରଣ ଭାବରେ ଦର୍ଶାଇଥିଲା। ନକଭି ପାକିସ୍ତାନର ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି। ପରିସ୍ଥିତିକୁ ବିଚାର କରି ଏସିଆନ କ୍ରିକେଟ ପରିଷଦ (ଏସିସି) ଅଧିକାରୀମାନେ ଏମିରେଟ୍ସ କ୍ରିକେଟ ବୋର୍ଡର ଉପାଧ୍ୟକ୍ଷ ଖାଲିଦ ଅଲ ଜାରୁନିଙ୍କୁ ଟ୍ରଫି ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ନକଭି ଏହା କରିବାକୁ ସିଧା ମନା କରିଦେଇଥିଲେ। ଯାହା ଫଳରେ ୯୦ ମିନିଟ ପାଇଁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଏବଂ ଶେଷରେ ସମାରୋହରୁ ଟ୍ରଫିକୁ ହଟାଇ ଦିଆଯାଇଥିଲା। ଖେଳାଳିମାନଙ୍କୁ ବ୍ୟକ୍ତିଗତ ପଦକ ପ୍ରଦାନ କରାଯାଇଥିଲା, କିନ୍ତୁ ଦଳ ବିଜୟୀ ଟ୍ରଫି ଦିଆଯାଇ ନ ଥିଲା।

ଟିମ ଇଣ୍ଡିଆର ବିଜୟ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସେ ଲେଖିଥିଲେ, କ୍ରୀଡା କ୍ଷେତ୍ରରେ ମଧ୍ୟ ଅପରେଶନ ସିନ୍ଦୂର କରାଯାଉଛି, ଏବଂ ଫଳାଫଳ ସମାନ: ଭାରତର ବିଜୟ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗୋଟିଏ ପୋଷ୍ଟ ସମଗ୍ର ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟ ସମ୍ପର୍କରେ ନକଭି କହିଛନ୍ତି, ଯଦି ଯୁଦ୍ଧ ତୁମର ଗର୍ବର ମାପକାଠି, ତେବେ ଇତିହାସ ପାକିସ୍ତାନ ହାତରେ ତୁମର ଅପମାନଜନକ ପରାଜୟକୁ ପୂର୍ବରୁ ରେକର୍ଡ କରିସାରିଛି। କୌଣସି କ୍ରିକେଟ ମ୍ୟାଚ ସେହି ସତ୍ୟକୁ ବଦଳାଇ ପାରିବ ନାହିଁ। ଯୁଦ୍ଧକୁ କ୍ରୀଡାରେ ଟାଣିବା କେବଳ ହତାଶାକୁ ପ୍ରକାଶ କରେ ଏବଂ ଖେଳର ଆତ୍ମାକୁ ଅପମାନିତ କରେ।

Share