Categories: ଖେଳ

ବଲ ଟ୍ୟାମ୍ପରିଂ ଅଭିଯୋଗରୁ ଅଶ୍ୱିନ ମୁକ୍ତ

ଚେନ୍ନାଇ,୧୬ା୬: ଭାରତର ପୂର୍ବତନ ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ ଓ ତାଙ୍କ ନେତୃତ୍ୱାଧୀନ ଦଳ ଡିନଡିଗୁଲ ଡ୍ରାଗନ୍ସକୁ ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ ବଲ ଟ୍ୟାମ୍ପରିଂ ଅଭିଯୋଗରୁ ମୁକ୍ତ କରାଯାଇଛି। ପ୍ରତିପକ୍ଷ ସେଇଚମ ମଦୁରାଇ ପାନ୍ଥର୍ସ ପକ୍ଷରୁ କେମିକାଲ ମିଶା ଟାଓ୍ବେଲ ମାଧ୍ୟମରେ ବଲ ଟ୍ୟାମ୍ପରିଂ କରାଯାଇଥିବା ଅଭିଯୋଗ ଅଣାଯାଇଥିଲା। ହେଲେ ଉକ୍ତ ମ୍ୟାଚ୍‌ରେ ବଲ ଟ୍ୟାମ୍ପରିଂ କରାଯାଇଥିବାର କୌଣସି ପ୍ରମାଣ ମିଳିନଥିବା ତାମିଲନାଡୁ କ୍ରିକେଟ୍‌ ଆସୋସିଏଶନ (ଟିଏନ୍‌ସିଏ) ପକ୍ଷରୁ କୁହାଯାଇଛି।

ପ୍ରଶ୍ନ ଉଠାଯାଉଥିବା ଟାଓ୍ବେଲକୁ ଟିଏନ୍‌ସିଏ ଦ୍ୱାରା ଉଭୟ ଦଳକୁ ଦିଆଯାଇଛି। ମ୍ୟାଚ୍‌ ରେଫରି ଓ ଅମ୍ପାୟରଙ୍କ ସମେତ ଖେଳକୁ ନିୟନ୍ତ୍ରଣ କରୁଥିବା ଦଳର ତତ୍ତ୍ୱାବଧାନରେ ପୂରା ମ୍ୟାଚ୍‌ ଖେଳାଯାଇଥିଲା। ମ୍ୟାଚ୍‌ ବେଳେ କୌଣସି ଚିନ୍ତା ପ୍ରକଟ କରାଯାଇ ନ ଥିଲା ଏବଂ କୌଣସି ପ୍ରମାଣ ମଧ୍ୟ ପ୍ରଦାନ କରାଯାଇ ନ ଥିଲା। ଏଣୁ ଅଭିଯୋଗ କାଳ୍ପନିକ ଏବଂ ପରାଜୟ ପରେ କରାଯାଇଥିବା ଜଣାପଡ଼ୁଛି ବୋଲି ଟିଏନ୍‌ପିଏଲ୍‌ ସିଇଓ ପ୍ରଶନ୍ନ କାନନ କହିଛନ୍ତି। ଟିଏନ୍‌ସିଏ ପକ୍ଷରୁ ପ୍ରତ୍ୟେକ ଦଳକୁ ବଲକୁ ସୁଖାଇବା ପାଇଁ ଟାଓ୍ବେଲ ଦିଆଯାଇଛି। ଅମ୍ପାୟରଙ୍କ ଉପସ୍ଥିତିରେ ବଲକୁ ପୋଛା ଯାଏ।

Share