Categories: ଜାତୀୟ

ଅପରେଶନ ସିନ୍ଦୂର ବିରୋଧରେ ପୋଷ୍ଟ କରିବା ପ୍ରଫେସରଙ୍କୁ ପଡ଼ିଲା ମହଙ୍ଗା

ସୋନିପତ୍‌,୧୮ା୫: ଭାରତୀୟ ସେନାର ଅପରେଶନ ସିନ୍ଦୂର ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଶୋକ ୟୁନିଭର୍ସିଟିର ରାଜନୀତି ବିଜ୍ଞାନ ମୁଖ୍ୟ ତଥା ଆସୋସିଏଟ୍‌ ପ୍ରଫେସର ଅଲି ଖାନ୍‌ ମହମୁଦାବାଦଙ୍କୁ ଶନିବାର ଗିରଫ କରାଯାଇଛି।

ତାଙ୍କ ବିରୋଧରେ ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିବା ସମେତ କଠୋର ଅଭିଯୋଗରେ ୨ଟି ଏତଲା ଦାଏର ହୋଇଥିବା ପୋଲିସ କହିଛି। ତାଙ୍କ ପୋଷ୍ଟକୁ ନେଇ ଭୁଲ୍‌ ବୁଝାମଣା ହୋଇଥିବା ପ୍ରଫେସର ଅଲି କହିବା ସହ ସେ ଅଭିବ୍ୟକ୍ତି ସ୍ବାଧୀନତା ମୌଳିକ ଅଧିକାରର ଉପଯୋଗ କରିଥିବା ମତ ରଖିଛନ୍ତି। ହେଲେ ହରିୟାଣା ରାଜ୍ୟ ମହିଳା କମିଶନ ତାଙ୍କୁ ନୋଟିସ୍‌ ଜାରି କରିଥିଲା।

ମହିଳା କମିଶନ ଅଧ୍ୟକ୍ଷା ରେଣୁ ଭାଟିଆ ଓ ଅନ୍ୟମାନଙ୍କ ଅଭିଯୋଗକୁ ଆଧାର କରି ମହମୁଦାବାଦଙ୍କ ବିରୋଧରେ ରାଇ ଥାନାରେ ୨ଟି ଏତଲା ଦାଏର କରାଯାଇଥିବା ଡିସିପି ନନ୍ଦ୍ରେ କଦ୍ୟାନ କହିଛନ୍ତି। ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ଜେରା କରିବ ବୋଲି ପୋଲିସ କହିଛି।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ସେନାର ଅପରେଶନ ସିନ୍ଦୂରକୁ ନେଇ ୨ ମହିଳା ଅଫିସର କଲୋନେଲ ସୋଫିୟା କ୍ୟୁରେଶୀ ଏବଂ ଓ୍ବିଙ୍ଗ୍‌ କମାଣ୍ଡର ବ୍ୟୋମିକା ସିଂଙ୍କ ମିଡିଆ ବ୍ରିଫିଙ୍ଗ୍‌ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବାସ୍ତବ ହୋଇ ନ ଥିଲେ, ଛଳନାତ୍ମକ ହେବ। ତାଙ୍କର ଏଭଳି ମନ୍ତବ୍ୟ ଜାତୀୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ବଦ୍‌ନାମ କରିବା ପାଇଁ ଉଦ୍ୟମ ବୋଲି କମିଶନ କହିଥିଲେ।

Share