ଅକାରଣେ ମାସେ ଜେଲ

ମୁମ୍ବାଇ/ନୂଆଦିଲ୍ଲୀ,୨୮ା୫: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କ ନାଟକୀୟ ଗିରଫଦାରି ଆରମ୍ଭରୁ ଚର୍ଚ୍ଚିତ ଥିଲା। ଏହି ମାମଲାରେ ସବୁଠୁ ବିବାଦୀୟ ଥିଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ତତ୍କାଳୀନ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖ୍‌ଡେ। ସେ ମାମଲା ରଫାଦଫା କରି ଆର୍ୟନଙ୍କୁ ଛାଡ଼ିବା ପାଇଁ ୨୫ କୋଟି ଟଙ୍କା ରାନ୍‌ସମ୍‌ ଦାବି କରିଥିଲେ। ଏନ୍‌ସିବି ପକ୍ଷରୁ ଶୁକ୍ରବାର ଆର୍ୟନଙ୍କୁ କ୍ଲିନ୍‌ଚିଟ୍‌ ଦିଆଯିବା ପରେ ଓ୍ବାଙ୍ଖଡେ ଏବେ ପୁଣି ଚର୍ଚ୍ଚାରେ। ତେବେ ବିନା କୌଣସି ପ୍ରମାଣରେ ତାଙ୍କୁ କାହିଁକି ଗିରଫ କରାଯାଇଥିଲା ଏବଂ ସେ ଅକାରଣେ ବିଚାରାଧୀନ କଏଦୀ ଭାବେ ମୁମ୍ବାଇର ଆର୍ଥର ରୋଡ୍‌ ଜେଲରେ ପ୍ରାୟ ମାସେ ଧରି ଦଣ୍ଡ ଭୋଗିଥିବାରୁ ଓ୍ବାଙ୍ଖଡେଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ମୁମ୍ବାଇର ଏକ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିଥିବା ତଦନ୍ତକାରୀ ଅଧିକାରୀମାନେ ସେଥିରେ ଆର୍ୟନ ଶାହରୁଖ୍‌ ଖାନ୍‌ଙ୍କ ନାମ ଉଲ୍ଲେଖ କରିନାହାନ୍ତି। କାରଣ ତାଙ୍କ ବିରୋଧରେ କିଛି ପ୍ରମାଣ ନାହିଁ ବୋଲ ଏନ୍‌ସିବି ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ସତ ସାମ୍ନାକୁ ଆସିବା ପରେ ଏନ୍‌ସିବିର ଭୂମିକା ଓ କାର୍ଯ୍ୟଶୈଳୀକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଥମେ ଏନ୍‌ସିବି ବିରୋଧରେ ଅଭିଯୋଗ ଆଣିଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିବି) ନେତା ତଥା ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ନଓ୍ବାବ୍‌ ମଲିକ୍‌ଙ୍କୁ ଅନ୍ୟ ଏକ ମାମଲାରେ ଜେଲରେ ରଖାଯାଇଛି। ମଲିକ୍‌ ଟୁଇଟ୍‌ କରିଛନ୍ତି, ବର୍ତ୍ତମାନ ଆର୍ୟନ ଖାନ୍‌ ଓ ଅନ୍ୟ ୫ ଜଣଙ୍କୁ ଏନ୍‌ସିବି କ୍ଲିନ୍‌ଚିଟ୍‌ ଦେଇଛି। ଏନ୍‌ସିବି ଏହାର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖଡ଼େ ଓ ତାଙ୍କର ପ୍ରାଇଭେଟ୍‌ ଆର୍ମି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ନା ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଆଇଆର୍‌ଏସ୍‌ ଅଧିକାରୀ ସମୀର ଓ୍ବାଙ୍ଖଡ଼େ ଏନ୍‌ସିବି ଜୋନାଲ ଡାଇରେକ୍ଟର ଥିବାବେଳେ ବଲିଉଡ୍‌ ଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଗିରଫ କରି ରାତାରାତି ଚର୍ଚ୍ଚାକୁ ଆସିଥିଲେ। ସେ ବର୍ତ୍ତମାନ ମୁମ୍ବାଇସ୍ଥିତ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ)ରେ ଅବସ୍ଥାପିତ। ଗତ ନଭେମ୍ବର ୬ରେ ଏନ୍‌ସିବି ତାଙ୍କୁ ତଦନ୍ତକାରୀ ସଂସ୍ଥାର ମୁଖ୍ୟାଳୟରୁ ହଟାଇଥିଲା। ଏଥିସହ ଦିଲ୍ଲୀର ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି)କୁ ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲା। ଏନ୍‌ସିବିର ଉପମହାନିର୍ଦ୍ଦେଶକ (ଅପରେଶନ୍ସ) ତଥା ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ସଞ୍ଜୟ କୁମାର ସିଂ ଏହି ଏସ୍‌ଆଇଟିର ନେତୃତ୍ୱ ନେଇଥିଲେ।