“ଅରୁଣାଚଳ ଆମର ଅଞ୍ଚଳ”: ଭାରତୀୟ ମହିଳାଙ୍କ ଅଭିଯୋଗକୁ ଖଣ୍ଡନ କଲା ଚାଇନା

ନୂଆଦିଲ୍ଲୀ,୨୫।୧୧: ଅରୁଣାଚଳ ପ୍ରଦେଶର ଜଣେ ଭାରତୀୟ ମହିଳାଙ୍କୁ ସାଂଘାଇ ବିମାନବନ୍ଦରରେ ହଇରାଣ କରାଯାଇଥିବା ଅଭିଯୋଗକୁ ଚାଇନା ମଙ୍ଗଳବାର ଖାରଜ କରିଛି। ଏହା ସହିତ ଚାଇନା ବିଦେଶ ମନ୍ତ୍ରାଳୟ ଅରୁଣାଚଳ ପ୍ରଦେଶକୁ “ଜାଙ୍ଗନାନ୍” ବୋଲି କହି ଏହାକୁ ପୁଣି ଥରେ ନିଜର ଅଞ୍ଚଳ ବୋଲି ଦାବି କରିଛି।

ବ୍ରିଟେନରେ ରହୁଥିବା ଭାରତୀୟ ନାଗରିକ ପେମା ୱାଙ୍ଗଜୋମ୍ ଥୋଙ୍ଗଡକ୍ ଅଭିଯୋଗ କରିଛନ୍ତି ଯେ ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାଉଥିବା ସମୟରେ ସାଂଘାଇ ବିମାନବନ୍ଦରରେ ତାଙ୍କ ପାସପୋର୍ଟରେ ଜନ୍ମସ୍ଥାନ ଅରୁଣାଚଳ ପ୍ରଦେଶ ଥିବାରୁ ଚାଇନା ଇମିଗ୍ରେସନ ଅଧିକାରୀମାନେ ଏହାକୁ ‘ଅବୈଧ’ ବୋଲି କହି ତାଙ୍କୁ ୩ ଘଣ୍ଟା ବଦଳରେ ପ୍ରାୟ ୧୮ ଘଣ୍ଟା ପର୍ଯ୍ୟନ୍ତ ହଇରାଣ କରିଥିଲେ।

ଚାଇନା ବିଦେଶ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଥୋଙ୍ଗଡକ୍‌ଙ୍କୁ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ, ଅଟକ ବା ହଇରାଣ କରାଯାଇ ନାହିଁ। ସୀମା ଅଧିକାରୀମାନେ ଆଇନ ଅନୁଯାୟୀ କାର୍ଯ୍ୟ କରିଛନ୍ତି।

ମାଓ ନିଙ୍ଗ୍ ପୁଣି ଦୋହରାଇଛନ୍ତି ଯେ, “ଜାଙ୍ଗନାନ୍ (ଅରୁଣାଚଳ ପ୍ରଦେଶ) ଚାଇନାର ଅଞ୍ଚଳ। ଭାରତ ଦ୍ୱାରା ବେଆଇନ ଭାବେ ସ୍ଥାପିତ ତଥାକଥିତ ଅରୁଣାଚଳ ପ୍ରଦେଶକୁ ଚାଇନା କେବେ ସ୍ୱୀକୃତି ଦେଇ ନାହିଁ।”

ଏହି ଘଟଣାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ନୂଆଦିଲ୍ଲୀ ବେଜିଂ ନିକଟରେ ଦୃଢ଼ କୂଟନୈତିକ ପ୍ରତିବାଦ କରିଛି।

ଅଧିକାରୀମାନେ ଜଣାଇଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ବାସିନ୍ଦାମାନେ ଭାରତୀୟ ପାସପୋର୍ଟରେ ଯାତ୍ରା କରିବାର ସମ୍ପୂର୍ଣ୍ଣ ଅଧିକାରୀ ଅଛନ୍ତି। ଚାଇନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ନିୟମର ଉଲ୍ଲଂଘନ କରୁଛି ବୋଲି ଭାରତ କହିଛି।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏହି ଘଟଣାରେ ଗଭୀର ଆଶ୍ଚର୍ଯ୍ୟ ପ୍ରକାଶ କରି ଏହାକୁ “ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଏବଂ ଭାରତୀୟ ନାଗରିକଙ୍କ ମର୍ଯ୍ୟାଦା ପ୍ରତି ଅପମାନ” ବୋଲି କହିଛନ୍ତି।

Share