“ଅରୁଣାଚଳ ଭାରତର ଅବିଚ୍ଛେଦ୍ୟ ଅଙ୍ଗ”: ଚାଇନାର ଦାବି ପରେ କଡ଼ା ଜବାବ ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୫।୧୧: ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପୁଣି ଥରେ ଅରୁଣାଚଳ ପ୍ରଦେଶକୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ପରେ ଭାରତ ଏହାର ଦୃଢ଼ ପ୍ରତିବାଦ କରିଛି। ଜଣେ ଭାରତୀୟ ମହିଳା ଯାତ୍ରୀଙ୍କୁ ଚାଇନାର ଶାଂଘାଇ ବିମାନ ବନ୍ଦରରେ ୧୮ ଘଣ୍ଟାରୁ ଅଧିକ ସମୟ ଧରି ହଇରାଣ ଓ ଅଟକ ରଖାଯିବା ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ଅରୁଣାଚଳ ପ୍ରଦେଶର ୱେଷ୍ଟ୍ କାମେଙ୍ଗ୍ ଜିଲ୍ଲା ରୂପାର ବାସିନ୍ଦା ତଥା ବର୍ତ୍ତମାନ ୟୁକେରେ ରହୁଥିବା ପ୍ରେମା ୱାଙ୍ଗ ଥୋଙ୍ଗ୍‌ଡୋକ ନଭେମ୍ବର ୨୧ ତାରିଖରେ ଲଣ୍ଡନରୁ ଜାପାନ ଯାଉଥିବା ବେଳେ ଶାଂଘାଇର ପୁଡୋଙ୍ଗ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ତାଙ୍କୁ ଅଟକା ଯାଇଥିଲା।

ଚାଇନା ଅଧିକାରୀମାନେ ତାଙ୍କ ପାସପୋର୍ଟରେ ଜନ୍ମସ୍ଥାନ ‘ଅରୁଣାଚଳ ପ୍ରଦେଶ’ ଉଲ୍ଲେଖ ଥିବାରୁ, ଏହାକୁ ଚାଇନାର ଅଞ୍ଚଳ ଦର୍ଶାଇ ପାସପୋର୍ଟକୁ ‘ଅବୈଧ’ ବୋଲି କହିଥିଲେ ଏବଂ ତାଙ୍କୁ ୧୮ ଘଣ୍ଟା ଅଟକ ରଖିଥିଲେ।

ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA) ମୁଖପାତ୍ର ରଣଧୀର ଜୟସ୍ୱାଲ ଚାଇନାର ଏହି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ତଥା ଅଲିଭା ଅଙ୍ଗ। ଚାଇନାର ଯେତେ ବି ପ୍ରତ୍ୟାଖ୍ୟାନ କଲେ ମଧ୍ୟ ଏହି ଅବିବାଦିତ ବାସ୍ତବତା ପରିବର୍ତ୍ତନ ହେବ ନାହିଁ।”

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଚାଇନା ଅଧିକାରୀଙ୍କ ଏହି କାର୍ଯ୍ୟ କେବଳ ଭାରତର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରୁନାହିଁ, ବରଂ ଅନ୍ତର୍ଜାତୀୟ ବିମାନ ଚଳାଚଳ ନିୟମାବଳୀ ଏବଂ ଚାଇନାର ନିଜସ୍ୱ ୨୪ ଘଣ୍ଟିଆ ଭିସା-ମୁକ୍ତ ଟ୍ରାଞ୍ଜିଟ୍ ନିୟମର ମଧ୍ୟ ଖୋଲାଖୋଲି ଉଲ୍ଲଂଘନ କରୁଛି। ଏହି ମାମଲାରେ ଭାରତ ପକ୍ଷରୁ ବେଜିଂ ଏବଂ ନୂଆଦିଲ୍ଲୀ ଉଭୟ ସ୍ଥାନରେ ଚାଇନା ନିକଟରେ କଡ଼ା ପ୍ରତିବାଦ ଲିପି ଦାଖଲ କରାଯାଇଛି।

ଅନ୍ୟପକ୍ଷରେ, ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ଯାତ୍ରୀଙ୍କୁ ହଇରାଣ କରାଯାଇଥିବା କଥାକୁ ଅସ୍ୱୀକାର କରିଛନ୍ତି। କିନ୍ତୁ ସେ ପୁଣି ଥରେ କହିଛନ୍ତି ଯେ, “ଜାଙ୍ଗ୍‌ନାନ (ଅରୁଣାଚଳ ପ୍ରଦେଶ) ହେଉଛି ଚାଇନାର ଅଞ୍ଚଳ।” ଚାଇନାର ଏହି ମନ୍ତବ୍ୟ ଉପରେ ଭାରତ କହିଛି ଯେ ଏହା ଏକ ସାଧାରଣ ଯାତ୍ରା ପ୍ରକ୍ରିୟାକୁ ରାଜନୈତିକରଣ କରିବାର ଏକ ବିଫଳ ପ୍ରୟାସ।

Share