କଳାକାରଙ୍କ ଅନନ୍ୟ ପ୍ରୟାସ: ନାଟକରେ ଶହୀଦ୍‌ ପରିବାରଙ୍କ ବଳିଦାନ

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସମଲେଶ୍ୱରୀ ସଂଘ ପ୍ରାୟୋଜିତ ନାଟ୍ୟ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ନାଟ୍ୟ ଉତ୍ସବରେ ସଂଘର କଳାକାରମାନେ ନାଟକ ଜୀବନ୍‌ ତାଙ୍କର୍‌, ସ୍ବାଧୀନତା ଆମର୍‌ (ମାଧୋ ସିଂ) ମଞ୍ଚସ୍ଥ କରିଥିଲେ। ନାଟ୍ୟକର ଚୂଡ଼ାମଣି ରଥଙ୍କ ରଚିତ ନାଟକରେ ସେ ନିଜେ ନିର୍ଦ୍ଦେଶନା ଦେଇଥିଲେ। ସୁରେନ ପାଣିଗ୍ରାହୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୨ ଦିନ ଚାଲିଥିବା ଏହି ନାଟ୍ୟ ଉତ୍ସବର ପ୍ରଥମ ସନ୍ଧ୍ୟାର ଉଦଘାଟନୀ ଉତ୍ସବରେ ସଂଘର ସଭାପତି ସମୀର ପ୍ରଧାନ ସଭାପତିତ୍ୱ କରିଥିଲେ। ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା, ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପଦ୍ମଶ୍ରୀ ହଲଧର ନାଗ, ଜମିଦାର ମାଧୋ ସିଂଙ୍କ ଦାୟାଦ ରଞ୍ଜିତ ସିଂ ବରିହା ସସ୍ତ୍ରୀକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ମଞ୍ଚସ୍ଥ ନାଟକରେ ସୁନିଲ ମହାପାତ୍ର ମାଧୋ ସିଂ ଭୂମିକାରେ ଅଭିନୟ କରିଥିଲେ। ନାଟକର ସମସ୍ତ ଚରିତ୍ରରେ ସଂଘର କଳାକାରମାନେ ନିଖୁଣ ଅଭିନୟ କରିଥିଲେ। ଅନାଲୋଚିତଭାବେ ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇ ନ ଥିବା ଏକ ଶହୀଦ ପରିବାରର ବିରଳତମ ବଳିଦାନ ନାଟକରେ ପ୍ରତିଫଳିତ ହୋଇଥିଲା। ନାଟକ ମାଧ୍ୟମରେ ତାକୁ ଲୋକଲୋଚନକୁ ଆଣିବାର ଏଭଳି ପ୍ରୟାସକୁ ଅତିଥିବୃନ୍ଦ ପ୍ରଶଂସା କରିଥିଲେ।

ଦ୍ୱିତୀୟ ସନ୍ଧ୍ୟାରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟଅତିଥିଭାବେ ଯୋଗ ଦେଇଥିଲେ। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ଼, ସମଲେଶ୍ୱରୀ ସଂଘ ପକ୍ଷରୁ ନାଟ୍ୟକାର ତଥା ନିର୍ଦ୍ଦେଶକ ଚୂଡ଼ାମଣି ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଶହୀଦଙ୍କ ଜନ୍ମମାଟି ଘେଁସ୍‌ ସମେତ ସମ୍ବଲପୁର, ବଲାଙ୍ଗୀର, ବରପାଲି, କେଶାଇପାଲି ଅଞ୍ଚଳରୁ ଅନେକ ବୁଦ୍ଧିଜୀବି, ନାଟ୍ୟକାର, ନିର୍ଦ୍ଦେଶକ ଯୋଗ ଦେଇଥିଲେ।

Dharitri – Odisha’s No.1 Odia Daily