ବଲାଙ୍ଗୀର,୧ା୧୧(ସୁନୀଲ କୁମାର ମହାନ୍ତି): ପଞ୍ଚମ ‘ବଲାଙ୍ଗୀର ଦିନ’ ଉତ୍ସବ ପାଳନ ଶନିବାର ସାଂସ୍କୃତିକ ଶୋଭାଯାତ୍ରାରୁ ଆରମ୍ଭ ହୋଇଯାଇଛି। ‘ବଲାଙ୍ଗୀର ଦିନ’ ଆଯୋଜକ ସମିତି ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂର୍ବାହ୍ନ ସାଢ଼େ ୧୧ଟାରୁ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳ, ବିଭିନ୍ନ ସଙ୍ଗଠନର ପ୍ରତିନିଧି, ରାଜନେତା, ଜନପ୍ରତିନିଧିଙ୍କ ସହ ଜନସାଧାରଣ ସାମିଲ ଥିଲେ। ଏହି ଉପଲକ୍ଷେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରାରେ ବଲାଙ୍ଗୀର ମ୍ୟୁନିସିପାଲିଟି ଚେୟାରମେନ ଲିକା ସାହୁ, ସଦର ବ୍ଲକ୍ ଅଧ୍ୟକ୍ଷା ସରିତା ବାଗ ଉପସ୍ଥିତ ରହି ସହର ପରିକ୍ରମା କରିଥିଲେ। କୋଶଳ କଳା ମଣ୍ଡଳ ପଡ଼ିଆରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରି ଭାଗିରଥି ଛକ, ପତିତପାବନ ଏକାଡେମୀ ଛକ, ବିକ୍ରମ ଛକ, ଡେଲି ମାର୍କେଟ, ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ମହାଦେବ ମନ୍ଦିର ଛକ, ପାଟଣା ହୋଟେଲ ଛକ, ମେନ୍ ମାର୍କେଟ ଦେଇ କୋଶଳ କଳାମଣ୍ଡଳ ପଡିଆକୁ ଫେରିଥିଲା। ଦେବୀ ସମଲେଶ୍ବରୀ, ଦେବୀ ପାଟଣେଶ୍ୱରୀ ଓ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ପରେ ସେଠାରୁ ଦୀପ ଧରି ପୌରାଧ୍ୟକ୍ଷା ଲିକା ସାହୁ କଳାକାରମାନଙ୍କ ସହ କଳାମଣ୍ଡଳ ପଡ଼ିଆକୁ ଫେରିଥିଲେ। ସେଠାରେ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ଶୋଭାଯାତ୍ରାରେ ସୁଦପଡ଼ା ଘଣ୍ଟପାର୍ଟି, ଦୁଲଦୁଲି ଓ ଡିଜେ ଓ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇଥିବା ବେଳେ ବାଦ୍ୟର ତାଳେ ତାଳେ ଝୁମିଥିଲେ କଳାକାର ଓ ଜନତା।
୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ବାଧୀନ ହେବା ବେଳକୁ ଅଧୁନାତନ ବଲାଙ୍ଗୀର ଜିଲା ପୂର୍ବତନ ପାଟଣା ଷ୍ଟେଟ୍ ନାଁରେ ପରିଚିତ ଥିଲା। ୧ ନଭେମ୍ବର ୧୯୪୯ରେ ଉଭୟ ବଲାଙ୍ଗୀର ଷ୍ଟେଟ୍ ଏବଂ ସୋନପୁର ଷ୍ଟେଟ୍କୁ ଏକାଠି କରି ବଲାଙ୍ଗୀର ଜିଲା ଗଠନ କରାଯାଇଥିଲା। ସେହି ଦିନଠାରୁ ଉକ୍ତ ଦିନକୁ ବଲାଙ୍ଗୀର ଦିନ ଭାବେ ସ୍ମରଣ କରାଯାଇ ଗତ ୫ ବର୍ଷ ହେଲା ଏହି ଉତ୍ସବ ପାଳନ କରାଯାଇ ଆସୁଛି।