ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚାରିପାଖେ ପ୍ରଦକ୍ଷିଣ କରିଥିବା ଆମେରିକାର କମାଣ୍ଡର ରେଇଡ୍‌ ଓ୍ବାଇଜ୍‌ମ୍ୟାନ୍‌, ପାଇଲଟ୍‌ ଭିକ୍ଟର ଗ୍ଲୋଭର, ମିଶନ ସ୍ପେଶାଲିଷ୍ଟ କ୍ରିଷ୍ଟିନା କୋଚ୍‌ ଓ କାନାଡାର ଜେରେମି ହାନ୍‌ସେନ୍‌ ଏଥିରେ ସାମିଲ ହୋଇ ୧୦ ଦିନିଆ ମିଶନ ଶେଷ କରିଛନ୍ତି। ସଫଳ ଚନ୍ଦ୍ରାଭିଯାନ କରିଥିବା ୪ କ୍ରିଉ ସଦସ୍ୟ ମହାକାଶରେ ମାନବ ଯାତ୍ରା କରିଥିବା ସର୍ବାଧିକ ଦୂରତ୍ୱ (୪,୦୬,୭୭୧ କିମି ବା ୨,୫୨,୭୫୬ ମାଇଲ)ର ରେକର୍ଡ ସୃଷ୍ଟି କରିଛନ୍ତି। ସୂଚନା ଦିଆଯାଇପାରେ ଯେ, ୧୯୭୨ ଡିସେମ୍ବରରେ ଆପୋଲୋ-୧୭ ମିଶନ ପରେ ଚନ୍ଦ୍ରକୁ ନାସାର ଏହା ପରବର୍ତ୍ତୀ ମାନବ ଅଭିଯାନ ହୋଇଛି। ଏଥିସହିତ ମଙ୍ଗଳ ଓ ଏହା ପରବର୍ତ୍ତୀ ଗ୍ରହରେ ଅବତରଣ ପାଇଁ ଚନ୍ଦ୍ରକୁ ରହଣିସ୍ଥଳ ଓ ଲଞ୍ଚପ୍ୟାଡ୍‌ କରିବା ସକାଶେ ନାସା ଯୋଜନା କରିଥିବା ଜଣାପଡ଼ିଛି। ତେବେ ସଦ୍ୟ ଚନ୍ଦ୍ରାଭିଯାନ କରି ଫେରିଥିବା ମହାକାଶଚାରୀଙ୍କ ମଧ୍ୟରେ ଏକମାତ୍ର ମହିଳା ସଦସ୍ୟ ଥିବା କ୍ରିଷ୍ଟିନା କୋଚ୍‌ ମିଶନ ସ୍ପେଶାଲିଷ୍ଟ ଭାବେ ଜହ୍ନ ଚାରିପାଖରେ ଭ୍ରମଣ କରିବାରେ ମଧ୍ୟ ପ୍ରଥମ ମହିଳା ହୋଇଛନ୍ତି। କ୍ରିଷ୍ଟିନା ମହିଳା ମହାକାଶଯାତ୍ରୀଙ୍କ ମଧ୍ୟରେ ସର୍ବାଧିକ ସମୟ ମହାକାଶରେ ରହିଥିବା ରେକର୍ଡ ଧାରଣ କରିଛନ୍ତି, ଯେଉଁଥିରେ ସେ ୨୦୧୯-୨୦ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ୩୨୮ ଦିନ ବିତାଇଥିଲେ। ତାଙ୍କ ଅଦମ୍ୟ ସାହସ ଓ ଦକ୍ଷତା ବିଷୟରେ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚା ହେବା ସ୍ବାଭାବିକ।
କ୍ରିଷ୍ଟିନା ଆମେରିକା ମିଚିଗାନ୍‌ର ଗ୍ରାଣ୍ଡ୍‌ ରାପିଡ୍‌ସରେ ୨୯ ଜାନୁଆରୀ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ। ସେ ନର୍ଥ କରୋଲିନାର ଜ୍ୟାକ୍ସନଭିଲେରେ ବଢ଼ିଥିଲେ। କିନ୍ତୁ ଗ୍ରୀଷ୍ମକାଳରେ ମିଚିଗାନ୍‌ରେ ତାଙ୍କ ମାତାପିତାଙ୍କ ସହ ଫାର୍ମରେ ସମୟ କଟାଉଥିଲେ। ଛୋଟବେଳୁ ହିଁ କ୍ରିଷ୍ଟିନା ମହାକାଶଯାତ୍ରୀ ହେବାକୁ ଚାହୁଁଥିଲେ। ଉଡ଼ାଣ ପୂର୍ବରୁ ନାସା ପକ୍ଷରୁ ତାଙ୍କ ସହ ହୋଇଥିବା ସାକ୍ଷାତ୍‌କାରରେ କହିଥିଲେ ‘ମୁଁ ଏପରି ଜିନିଷ ପସନ୍ଦ କରୁଥିଲି ଯାହା ମୋତେ ଛୋଟ ଲାଗୁଥିଲା। ମୁଁ ରାତିର ଆକାଶକୁ ପାଇନ୍‌ ଗଛର ଡାଳ ମଝିରୁ ଅଧିକାଂଶ ସମୟରେ ଦେଖିବାକୁ ପସନ୍ଦ କରୁଥିଲି।’ ସେ ଆହୁରି କହିଥିଲେ, ‘ମୁଁ ଲୋକଙ୍କୁ ସର୍ବଦା କହେ, ଯାହା ଆପଣଙ୍କ ମଧ୍ୟରେ ଭୟ ସୃଷ୍ଟି କଲା ଭଳି ଲାଗିବ ସେଇଟା ହିଁ କରନ୍ତୁ।’ ସମୟ କ୍ରମେ କ୍ରିଷ୍ଟିନା ଯେତେବେଳେ ବଢ଼ିଚାଲିଲେ ସେତେବେଳେ ପିଲାଦିନର ସ୍ବପ୍ନ ପୂରଣ କରିବା ଲାଗି ସେ ଗଣିତ ଓ ବିଜ୍ଞାନ ପାଠ ପଢ଼ିଥିଲେ। ସେ ଆଲବାମାର ହଣ୍ଟସ୍‌ଭିଲେରେ ଥିବା ସ୍ପେସ୍‌ କ୍ୟାମ୍ପକୁ ଯାଇଥିଲେ। ସେଠାରେ ସେ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ (ଷ୍ଟେମ୍‌) କାର୍ଯ୍ୟକ୍ରମରେ ଭାଗ ନେଇଥିଲେ, ଯେଉଁଥିରେ ମହାକାଶଯାତ୍ରା ପାଇଁ ତାଲିମ ନେବାର ସୁଯୋଗ ମିଳିଥିଲା।
କ୍ରିଷ୍ଟିନା ନର୍ଥ କରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିରେ ପଢ଼ିଥିଲେ। ସେଠାରୁ ସେ ୨୦୦୧ ମସିହାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ଓ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଏବଂ ୨୦୦୨ ମସିହାରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ଘାନା ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଥିଲେ।
୨୦୦୨ରେ କ୍ରିଷ୍ଟିନା ମେରିଲାଣ୍ଡର ଗ୍ରୀନବେଲ୍‌ଟ ନାସାର ଗୋଡାର୍ଡ ସ୍ପେସ୍‌ ଫ୍ଲାଇଟ ସେଣ୍ଟରରେ ହାଇ ଏନର୍ଜି ଆଷ୍ଟ୍ରୋଫିଜିକ୍ସ ଲାବରେଟୋରିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ତା’ପରେ ସେ ୟୁନାଇଟେଡ୍‌ ଷ୍ଟେଟ୍ସ ଆଣ୍ଟାର୍କଟିକ୍‌ ପ୍ରୋଗ୍ରାମରେ ଯୋଗ ଦେଇ ଆମୁଣ୍ଡସେନ୍‌-ସ୍କଟ ସାଉଥ୍‌ ପୋଲ ଷ୍ଟେସନ୍‌ରେ ବଷେର୍ର୍ କଟାଇଥିଲେ। ୨୦୦୭ରେ ସେ ଜନ୍ସ ହପକିନ୍ସ ୟୁନିଭର୍ସିଟିର ଆପ୍ଲାଏଡ୍‌ ଫିଜିକ୍ସ ଲାବରେଟୋରିରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ଜୁପିଟର୍‌ କକ୍ଷପଥ ଜୁନୋ ପରି ମହାକାଶ ପାଇଁ ଉପକରଣ ଉପରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ବର୍ଷଗୁଡ଼ିକରେ ସେ ଆଲାସ୍କା, ଗ୍ରୀନ୍‌ଲାଣ୍ଡ ଏବଂ ଆମେରିକୀୟ ସାମୋଆର ଦୂରବର୍ତ୍ତୀ ବୈଜ୍ଞାନିକ କେନ୍ଦ୍ରଗୁଡ଼ିକରେ ଫିଲ୍ଡୱାର୍କ କରିଥିଲେ।
କ୍ରିଷ୍ଟିନା ୨୦୧୩ରେ ମହାକାଶଯାତ୍ରୀ ଭାବେ ବଛା ହୋଇଥିଲେ। ତାଙ୍କର ପ୍ରଥମ ମହାକାଶ ଯାତ୍ରା ମାର୍ଚ୍ଚ ୨୦୧୯ରେ ହୋଇଥିଲା, ଯେତେବେଳେ ସେ ରୁଷୀୟ ମହାକାଶଯାନ ସୋୟୁଜ ଏମ୍‌ଏସ୍‌-୧୨ ଦ୍ୱାରା ମହାକାଶ କେନ୍ଦ୍ରକୁ ଯାଇଥିଲେ। ସେ ଛଅଟି ସ୍ପେସ୍‌ୱାକ୍‌ (ମହାକାଶରେ ଚାଲିବା) କରିଥିଲେ, ଯେଉଁଥିରେ ଜେସିକା ମେୟାରଙ୍କ ସହ ପ୍ରଥମ ତିନି ଜଣ ମହିଳା ସାମିଲ ଥିଲେ। ସେ ୨୦୨୦ ଫେବୃଆରୀରେ ୩୨୮ ଦିନ ପରେ ପୃଥିବୀକୁ ଫେରିଥିଲେ।
୨୦୨୩ ମସିହାରେ କ୍ରିଷ୍ଟିନା ଆର୍ଟେମିସ-୨ ମିଶନ ପାଇଁ ମିଶନ ସ୍ପେଶାଲିଷ୍ଟ ଭାବରେ ମନୋନୀତ ହୋଇଥିଲେ, ଯାହା ଆର୍ଟେମିସ ପ୍ରୋଗ୍ରାମ ପ୍ରଥମ ମନୁଷ୍ୟଯୁକ୍ତ ଉଡ଼ାଣ ଥିଲା। ଏବର ଏପ୍ରିଲ ୧ର ଅଭିଯାନ ନେଇ ସେ କହିଛନ୍ତି ଯେ, ମହାକାଶଯାନର ବନ୍ଦ ହୋଇଯାଇଥିବା ଟଏଲେଟ୍‌ ମରାମତି କରିଥିଲେ। ନିଜକୁ ସ୍ପେସ ପ୍ଲମ୍ବର୍‌ ମଧ୍ୟ କହିବାକୁ ସେ ପଛାଇ ନାହାନ୍ତି। ମହାକାଶରେ ଭବିଷ୍ୟତରେ ମନୁଷ୍ୟ ହୋଇ ରହିବା ଏହି ମିଶନ୍‌ର ସବୁଠାରୁ ସୁନ୍ଦର ବିଷୟଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି।
କ୍ରିଷ୍ଟିନାଙ୍କ ବ୍ୟକ୍ତିଗତ ଜୀବନ କହିଲେ ସେ ଜିଓସ୍ପାଟିଆଲ୍‌ ଇଞ୍ଜିନିୟର୍‌ ରବଟର୍ର୍ ବବ୍‌ କୋଚ୍‌ଙ୍କୁ ବିବାହ କରିଛନ୍ତି। ଉଭୟେ ଆମେରିକୀୟ ସାମୋଆରେ କାର୍ଯ୍ୟ କରୁଥିବା ସମୟରେ ପରିଚିତ ହୋଇଥିଲେ।

Dharitri – Odisha’s No.1 Odia Daily