ଦୁବାଇ, ୧୦ା୩: ଅହମଦାବାଦରେ ଅନୁଷ୍ଠିତ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍ ଫାଇନାଲ ସମୟରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେରିଲ ମିଚେଲଙ୍କୁ ଲକ୍ଷ୍ୟ କରି ଅକ୍ରମଣାତ୍ମକ ଢଙ୍ଗରେ ବଲ୍ ଫିଙ୍ଗିଥିବାରୁ ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ତାଙ୍କ ଶୃଙ୍ଖଳାଗତ ରେକର୍ଡରେ ଗୋଟିଏ ଡିମେରିଟ୍ ପଏଣ୍ଟ ଯୋଗ କରାଯାଇଛି।
୨୪ ମାସ ମଧ୍ୟରେ ଅର୍ଶଦୀପଙ୍କର ଏହା ପ୍ରଥମ ଅପରାଧ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ, ଅର୍ଶଦୀପ ଆଇସିସି ଆଚରଣ ସଂହିତାର ଧାରା ୨.୯ର ଉଲ୍ଲଂଘନ କରିଛନ୍ତି।
ରବିବାର ନ୍ୟୁଜିଲାଣ୍ଡ ଇନିଂସର ୧୧ତମ ଓଭରରେ ଏହି ଘଟଣା ଦେଖିବାକୁ ମଳିଥିଲା। ଅର୍ଶଦୀପ ତାଙ୍କ ବୋଲିଂରେ ଫଲୋ-ଥ୍ରୁରେ ଫିଲ୍ଡିଂ କରୁଥିଲେ। ବଲ୍ ସଂଗ୍ରହ କରିବା ପରେ ସେ ଆକ୍ରମଣାତ୍ମକ ଭଙ୍ଗୀରେ ନ୍ୟୁଜିଲାଣ୍ଡ ଉପଅଧିନାୟକଙ୍କ ଉଦ୍ଦେଶ୍ୟରେ ବଲ୍ ଥ୍ରୋ କରିଥିଲେ। ବଲ୍ଟି ବ୍ୟାଟରଙ୍କ ପ୍ୟାଡ୍ରେ ଯାଇ ବାଜିଥିଲା।
ଆଇସିସି ଏଲିଟ୍ ପ୍ୟାନେଲ ଅଫ୍ ମ୍ୟାଚ ରେଫରିଜ୍ ଆଣ୍ଡି ପାଇକ୍ରଫ୍ଟ ପ୍ରସ୍ତାବିତ ଦଣ୍ଡକ୍ୁ ଗ୍ରହଣ କରିବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ି ନ ଥିଲା। ଅର୍ଶଦୀପଙ୍କ ବିରୋଧରେ ଫିଲ୍ଡ ଅମ୍ପାୟର ରିଚାର୍ଡ ଇଲିଙ୍ଗଓ୍ବର୍ଥ ଓ ଆଲେକ୍ସ ହ୍ବାର୍ଫ, ତୃତୀୟ ଅମ୍ପାୟର ଆଲ୍ଲାହୁଦ୍ଦିନ ପାଲେକର ଏବଂ ଚତୁର୍ଥ ରେଫରି ଆଡ୍ରିଆନ୍ ହୋଲ୍ଡଷ୍ଟକ ପ୍ରମୁଖ ଅଭିଯୋଗ ଆଣିଥିଲେ।