Categories: Home Leftଖେଳ

ଅର୍ଶାଦ ନଦୀମଙ୍କ କ୍ଷୋଭ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ମିଳିଥିବା ପୁରସ୍କାର ପ୍ରତିଶ୍ରୁତି ‘ମିଛ’

ନୂଆଦିଲ୍ଲୀ,୧୭।୭: ପାରିସ୍ ଅଲିମ୍ପିକ୍ସରେ ଭାରତର ନୀରଜ ଚୋପ୍ରାଙ୍କୁ ହରାଇ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ପ୍ରଥମ ଆଥଲେଟ୍ ଅର୍ଶାଦ ନଦୀମ ତାଙ୍କୁ ଦିଆଯାଇଥିବା ‘ମିଛ’ ପୁରସ୍କାର ପ୍ରତିଶ୍ରୁତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ବର୍ଷ ପାରିସ୍‌ରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଅର୍ଶାଦ ୯୨.୯୭ ମିଟର ଦୂରତା ସହ ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ଜିତି ନୂଆ ଅଲିମ୍ପିକ୍ ରେକର୍ଡ ସ୍ଥାପନ କରିଥିଲେ, ଯାହା ୨୦୦୮ ବେଜିଂ ଅଲିମ୍ପିକ୍ସରେ ଡେନମାର୍କର ଆନ୍ଦ୍ରିଆସ ଥର୍କିଲ୍ଡସେନଙ୍କ ରେକର୍ଡକୁ ଭାଙ୍ଗିଥିଲା। ନୀରଜ ଚୋପ୍ରା ୮୯.୪୫ ମିଟର ଥ୍ରୋ’ ସହ ରୌପ୍ୟ ପଦକ ଜିତିଥିଲେ।

ଜିଓ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ନଦୀମ କହିଛନ୍ତି, “ମୋତେ ଘୋଷଣା କରାଯାଇଥିବା ସମସ୍ତ ପୁରସ୍କାର ମଧ୍ୟରୁ ଜମି ସମ୍ବନ୍ଧୀୟ ପ୍ରତିଶ୍ରୁତି ସବୁ ମିଛ ଥିଲା, ଯାହା ମୁଁ ଏପର୍ଯ୍ୟନ୍ତ ପାଇ ନାହିଁ। ତଥାପି, କିଛି ଘୋଷିତ ନଗଦ ପୁରସ୍କାର ମୋତେ ମିଳିଛି।”

ଅର୍ଶାଦ ବର୍ତ୍ତମାନ ଏକ ହାମସ୍ଟ୍ରିଂ ଆଘାତରେ ପୀଡ଼ିତ ଥିବା ଜଣାପଡ଼ିଛି। ସୂତ୍ର ଅନୁଯାୟୀ, ସେ ଏହି ଆଘାତର ଚିକିତ୍ସା ପାଇଁ ଇଂଲଣ୍ଡ ଯାତ୍ରା କରୁଛନ୍ତି ଏବଂ ଆଗଷ୍ଟ ୧୬ରେ ପୋଲାଣ୍ଡର ସିଲେସିଆ ଡାଇମଣ୍ଡ ଲିଗ୍‌ରେ ନୀରଜ ଚୋପ୍ରାଙ୍କ ସହ ପୁଣି ଥରେ ମୁକାବିଲା ପାଇଁ ପ୍ରସ୍ତୁତି ନେଉଛନ୍ତି। ଏହି ଆଘାତ ହେତୁ ସେ ସ୍ୱିଜରଲାଣ୍ଡରେ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ।

ଗତ ବର୍ଷ ଅଗଷ୍ଟ ୮ରେ ପାରିସ୍‌ରେ ଅର୍ଶାଦ ଓ ନୀରଜଙ୍କ ମଧ୍ୟରେ ହୋଇଥିବା ଜାଭେଲିନ୍ ଥ୍ରୋ’ ପ୍ରତିଯୋଗିତା ଦର୍ଶକଙ୍କୁ ଆକର୍ଷିତ କରିଥିଲା। ଏବେ ସିଲେସିଆ ଡାଇମଣ୍ଡ ଲିଗ୍‌ରେ ବିଶ୍ୱ ଚାମ୍ପିଅନ ନୀରଜ ଓ ଅଲିମ୍ପିକ ସ୍ୱର୍ଣ୍ଣ ବିଜୟୀ ଅର୍ଶାଦଙ୍କ ମଧ୍ୟରେ ମୁକାବିଲା ପୁଣି ଥରେ ମୁଖ୍ୟ ଆକର୍ଷଣ ହେବ। ଚୋପ୍ରା ଏହି ବର୍ଷ ମେ’ ୧୬ରେ ଦୋହାରେ ୯୦ ମିଟର ଅତିକ୍ରମ କରିଥିବା ବେଳେ, ୨୮ ବର୍ଷୀୟ ନଦୀମ ୨୦୨୪ ଅଲିମ୍ପିକ୍ସ ପରେ କେବଳ ଗୋଟିଏ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେ ଦକ୍ଷିଣ କୋରିଆର ଗୁମିଠାରେ ମେ’ ୩୧ରେ ଏସୀୟ ଚାମ୍ପିଅନସିପ୍‌ରେ ୮୬.୪୦ ମିଟର ଥ୍ରୋ’ ସହ ସ୍ୱର୍ଣ୍ଣ ଜିତିଥିଲେ।

ନୀରଜ ଚୋପ୍ରା ପାରିସ୍ ଅଲିମ୍ପିକ୍ସ ପରେ ଚାରୋଟି ଡାଇମଣ୍ଡ ଲିଗ୍, ପୋଲାଣ୍ଡର ଚୋର୍ଜୋ ଓ ଚେକ ରିପବ୍ଲିକର ଓଷ୍ଟ୍ରାଭାରେ ଦୁଇଟି ଶୀର୍ଷ-ସ୍ତରୀୟ ପ୍ରତିଯୋଗିତା ଏବଂ ବେଙ୍ଗାଲୁରୁରେ ପ୍ରଥମ ଏନସି କ୍ଲାସିକ୍‌ରେ ଜିତିସାରିଛନ୍ତି।

Share