ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ ମାଓବାଦୀ କମାଣ୍ଡରଙ୍କୁ ଗିରଫ କରି ଏକ ବଡ଼ ସଫଳତା ହାସଲ କରିଥିଲେ। ଗିରଫ ୨ ମାଓବାଦୀ କମାଣ୍ଡରଙ୍କ ତଥ୍ୟକୁ ଆଧାର କରି ମାଓବାଦୀଙ୍କ ଦ୍ବାରା ଗୁପ୍ତ ଭାବେ ଲୁଚାଇ ରଖାଯାଇଥିବା ଅସ୍ତ୍ରଶସ୍ତ୍ର ସୁରକ୍ଷାବଳ ଓ ପୋଲିସ ଗୁରୁବାର ଜବତ କରି ପୁଣି ଥରେ ସଫଳତା ହାସଲ କରିଛନ୍ତି।
ଗିରଫ ହୋଇଥିବା ମାଓବାଦୀ ମୃତ୍ୟୁଞ୍ଜୟ ଭୂୟାଁ ଓ ବବଲୁ ରାମ (ଜୋନାଲ କମାଣ୍ଡର ଓ ସାଥୀ) ଯାହାଙ୍କ ନିକଟରୁ ଗିରଫଦାରି ସମୟରେ ଗୋଟିଏ ଅତ୍ୟାଧୁନିକ ଏ.କେ. -୪୭, ୨୧ ରାଉଣ୍ଡ ଜୀବନ୍ତ ଗୁଳି, ଏକ ଲକ୍ଷ ଷାଠିଏ ହଜାର ଟଙ୍କା ନଗଦ ମିଳିଥିଲା, ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଣି ଏହି ନୂଆ ସଫଳତା ମିଳିଛି।
ଲାତେହାର ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ପୂର୍ବରୁ ଗିରଫ ହୋଇଥିବା ଏହି ୨ମାଓବାଦୀଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରାଯାଉଥିଲା। ପଚରାଉଚରା ସମୟରେ ସେମାନେ କହିଥିଲେ, ମିର୍ଚିଆ ଜଙ୍ଗଲରେ ମାଟି ତଳେ ଅସ୍ତ୍ର, ଗୁଳି ଓ ଅନ୍ୟ ସାମଗ୍ରୀ ଲୁଚାଇ ରଖାଯାଇଛି, ପରେ ପୋଲିସ ଓ ସୁରକ୍ଷା ବାହିନୀ ତୁରନ୍ତ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ।
ସର୍ଚ୍ଚ ଅଭିଯାନ ସମୟରେ ଠିକଣା ସ୍ଥାନରୁ ପୋଲିସ ୨ଟି ଇନ୍ସାସ ରାଇଫଲ, ଗୋଟିଏ ପଏଣ୍ଟ (୩୦) କାର୍ବାଇନ ରାଇଫଲ, ୧୭୦ଟି ଜୀବନ୍ତ ଗୁଳି ସହିତ ମାଓବାଦୀଙ୍କ ବର୍ଦ୍ଦୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲେ।
ଗୁରୁବାର ଆୟୋଜିତ ପ୍ରେସ ବାର୍ତ୍ତାରେ ଲାତେହାର ଏସ୍ପି କୁମାର ଗୌରବ କହିଥିଲେ, ଗିରଫ ମାଓବାଦୀଙ୍କୁ ପଚରାଉଚରାରୁ ମିଳିଥିବା ସୂଚନା ଆଧାରରେ ଏହି ଅଭିଯାନ ଚାଲିଥିଲା। ସେ କହିଥିଲେ, ଜବତ ହୋଇଥିବା ସମସ୍ତ ଅସ୍ତ୍ର ସାଧାରଣ (ରେଗୁଲାର) ଅସ୍ତ୍ର। ଆଜିର ସଫଳତା ପରେ ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡ ଅଞ୍ଚଳରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଓ ଉଭୟ ରାଜ୍ୟ ପୋଲିସର ମନୋବଳ ବୃଦ୍ଧି ଘଟିବା ସହିତ ଆଗକୁ ଆହୁରି ସଫଳତା ମିଳିବ ବୋଲି ରାଉରକେଲା ଡିଆଇଜି ବ୍ରିଜେଶ ରାୟ ସ୍ପଷ୍ଟ କରିଛନ୍ତି।
ଅପରପକ୍ଷରେ କେନ୍ଦ୍ର ସରକାରଙ୍କ ମାଓବାଦୀ ଦମନ ଅଭିଯାନ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବା ନେଇ ଥିବା ଟାର୍ଗେଟକୁ ଉଭୟ ରାଜ୍ୟରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଓ ପୋଲିସ ଗୁରୁତର ସହ ନେଇ ବ୍ୟାପକ ଅଭିଯାନ ତୀବ୍ର କରିଛି। ମାଓବାଦୀ ବିରୋଧୀ ଅଭିଯାନରେ ନିକଟ ଅତୀତରେ ହୋଇଥିବା ଅପରେଶନରେ ଅଗ୍ରଣୀ ଭୂମିକା ନେଇ ଅନେକ ସଫଳତା ଆଣି ଦେଇଥିବା ୩ଜଣ ପୋଲିସ ଅଫିସର ଚଳିତବର୍ଷ ସମ୍ମାନଜନକ ଡିଜିପି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।
ସେମାନଙ୍କ ମଧ୍ୟରେ ଓଡ଼ିଶା ସୀମାବର୍ତ୍ତୀ ଥାନା କେ.ବଲାଙ୍ଗର ଇନ୍ସପେକ୍ଟର ଅଶୋକ କୁମାର ବେହେରା, ଡିଭିଏଫ (ଡିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଫୋର୍ସ)ରେ କାର୍ଯ୍ୟରତ ଅଧିକାରୀ ଜେମ୍ସ ମୁଣ୍ଡା ଓ ସବ୍ଇନ୍ସପେକ୍ଟର ଭାଗୀରଥି ଜେନାଙ୍କ ନାମ ପୋଲିସ ମହାନିର୍ଦ୍ଦେଶକ ମନୋନୀତ କରିଥିବା ନେଇ ଅଧିକାରୀଙ୍କ ମନୋବଳରେ ଅହେତୁକ ବୃଦ୍ଧି ଘଟିଥିବା ଦେଖାଯାଇଛି l ମନୋନୀତ ଏହି ୩ଜଣ ଅଧିକାରୀ ଆସନ୍ତା ଏପ୍ରିଲ ୧ ତାରିଖ ପୋଲିସ ପ୍ରତିଷ୍ଠା ଦିବସରେ ପୁରଷ୍କୃତ ହେବେ ବୋଲି ସୂଚନା ମିଳିଛି।