ନୂଆପଡ଼ା,୩ା୩ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ଜୁନାନୀ ଗାଁ ବିଦ୍ୟାଳୟ ଖେଳପଡିଆ ଜମି ଓ ଅନ୍ୟ ଚାଷୀଙ୍କ ଦଖଲରେ ଥିବା ଜମି ଜାଲିଆତି କରି ନିଜ ନାମରେ ପଟ୍ଟା କରାଇ ନେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବିରେ ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜାତୀୟ କଂଗ୍ରେସ କମିଟି ଜିଲା ସଭାପତି ଘାସିରାମ ମାଝିଙ୍କ ନେତୃତ୍ୱରେ ଶତାଧିକ ମହିଳାପୁରୁଷ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଧାରଣାରେ ବସିଥିଲେ। ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ ଧାରଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲେ। ହେଲେ ଗ୍ରାମବାସୀ ଜାଲିଆତି କରିଥିବା ଜମି ମାଫିଆଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଅଡି ବସିଥିଲେ। ଅତିରିକ୍ତ ଜିଲାପାଳ ଏହା ଉପରେ ତଦନ୍ତ ହେବ। ସତ୍ୟାସତ୍ୟ ଜଣାପଡିଲା ପରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଧାରଣା ପ୍ରାତ୍ୟାହୃତ ହୋଇଥିଲା।
ସୂଚନା ଅନୁଯାୟୀ, ଏହି ଜମି ଜାଲିଆତି ନେଇ ଗ୍ରାମବାସୀ ନୂଆପଡା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ନ ମିଳିବାରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଜାଲିଆତି କରି ପଟ୍ଟା କରାଇ ନେଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଜମି ପଟ୍ଟା ରଦ୍ଦ କରାଯାଇ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପଟେ ସମ୍ପୃକ୍ତ ଜମି ମାଫିଆଙ୍କ ଉପରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦର ଥାନା ଅଧିକାରୀ ଗଙ୍ଗାଧର ମେହେର କହିଛନ୍ତି। ଏହି ସମୟରେ ଜିଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, କଂଗ୍ରେସ କମିଟି ଜିଲା ସାଧାରଣ ସମ୍ପାଦକ ସୁଧିର ମିଶ୍ର, ହରି ମାଝି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।