ଶ୍ରୀନଗର,୩।୮: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ବିମାନ ନମ୍ବର SG-୩୮୬ର ବୋର୍ଡିଂ ଗେଟ୍ରେ ଜଣେ ଯାତ୍ରୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଯାତ୍ରୀଜଣଙ୍କ ସ୍ପାଇସ୍ ଜେଟ୍ର ଚାରିଜଣ କର୍ମଚାରୀଙ୍କ ଉପରେ ଗୁରୁତର ଆକ୍ରମଣ କରିଛନ୍ତି। ଶ୍ରୀନଗର ବିମାନବନ୍ଦରରେ ଘଟିଥିବା ଏହି ଘଟଣାକୁ ନେଇ ସ୍ପାଇସ୍ ଜେଟ୍ର ଜଣେ ମୁଖପାତ୍ର କହିଛନ୍ତି ଯେ, ଆକ୍ରମଣକାରୀ ଯାତ୍ରୀ କର୍ମଚାରୀଙ୍କୁ ଗୋଇଠା ଏବଂ ବିଧା ମାରିଥିଲେ। ଫଳରେ କର୍ମଚାରୀଙ୍କର ମେରୁଦଣ୍ଡ ସହ ମୁହଁରେ ଗଭୀର ଆଘାତ ଲାଗିଛି।
ମୁଖପାତ୍ରଙ୍କ କହିବା ଅନୁଯାୟୀ, ଜଣେ କର୍ମଚାରୀ ବେହୋସ ହୋଇ ତଳେ ପଡ଼ି ଯାଇଥିଲେ। ତଥାପି ଉକ୍ତ ଯାତ୍ରୀଜଣଙ୍କ ତାଙ୍କୁ ଗୋଇଠା ମାରି ଚାଲିଥିଲେ। ମୁର୍ଚ୍ଛିତ କର୍ମଚାରୀଙ୍କୁ ସାହାଯ୍ୟ କରିବାକୁ ଆସିଥିବା ଅନ୍ୟ ଜଣେ ବ୍ୟକ୍ତି ଜୋରଦାର ଗୋଇଠା ମାରିବା ଫଳରେ ତାଙ୍କ ନାକ ଓ ମୁହଁରୁ ରକ୍ତସ୍ରାବ ହୋଇଥିଲା। ଆହତ କର୍ମଚାରୀମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ସ୍ପାଇସ୍ ଜେଟ ମୁଖପାତ୍ର କହିଛନ୍ତି ଯେ, ଆକ୍ରମଣକାରୀ ଯାତ୍ରୀ ଜଣେ ବରିଷ୍ଠ ସୈନ୍ୟ ଅଧିକାରୀ(ଆର୍ମି ଅଫିସର) ଥିଲେ। ସେ ଦୁଇଟି କେବିନ ବ୍ୟାଗ ନେଇ ଯାଉଥିଲେ, ଯାହାର ମୋଟ ଓଜନ ୧୬ କିଲୋଗ୍ରାମ, ଯାହା ଅନୁମୋଦିତ ୭ କିଲୋଗ୍ରାମ ସୀମାରୁ ଦୁଇ ଗୁଣରୁ ଅଧିକ ଥିଲା। ଯାତ୍ରୀଙ୍କୁ ଅତିରିକ୍ତ ସାମଗ୍ରୀ ପାଇଁ ଶୁଳ୍କ ଦେବାକୁ କୁହାଯାଇଥିଲା। କିନ୍ତୁ ସେ ତାହା ଦେବାକୁ ମନା କରିଦେଇଥିଲେ ଏବଂ ବୋର୍ଡିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କରି ଜୋରଜବରଦସ୍ତ ଏୟାରୋ ବ୍ରିଜରେ ପ୍ରବେଶ କରି ବିମାନ ସୁରକ୍ଷା ପ୍ରୋଟୋକଲର ଉଲ୍ଲଂଘନ କରିଥିଲେ। ଜଣେ ସୁରକ୍ଷା ଗାର୍ଡ ତାଙ୍କୁ ଗେଟ୍ ବାହାରକୁ ଆଣିଥିଲେ। ଗେଟ୍ରେ ପହଞ୍ଚିବା ପରେ ଯାତ୍ରୀଙ୍କ ବ୍ୟବହାର ଆହୁରି ଆକ୍ରମଣାତ୍ମକ ହୋଇଯାଇ ଥିଲା। ସେ ସ୍ପାଇସ୍ ଜେଟ୍ର ଚାରିଜଣ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ମାରପିଟ କରିଥିଲେ।
ତେବେ ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି ଏବଂ ଏୟାରଲାଇନ୍ ନିୟମ ଅନୁଯାୟୀ ଯାତ୍ରୀଙ୍କୁ ନୋ-ଫ୍ଲାଇଟ ତାଲିକାରେ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହାପରେ ସେହି ଯାତ୍ରୀ ଆଉ ବିମାନରେ ଯାତ୍ରା କରିପାରିବେ ନାହିଁ। ସ୍ପାଇସ୍ ଜେଟ ନାଗରିକ ବିମାନନ ମନ୍ତ୍ରଣାଳୟକୁ ଚିଠି ଲେଖି କର୍ମଚାରୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛି ଏବଂ ଯାତ୍ରୀଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅନୁରୋଧ କରିଛି। ଏୟାରଲାଇନ୍ ବିମାନବନ୍ଦରରୁ ଏହି ଘଟଣାର ସିସିଟିଭି ଫୁଟେଜ ସଂଗ୍ରହ କରି ପୁଲିସକୁ ହସ୍ତାନ୍ତର କରିଛି, ଯାହା ଦ୍ୱାରା ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ।