ଦେଶ ସୁରକ୍ଷା କରୁଥିବା ଯବାନଙ୍କ ପରିବାର ଦାୟିତ୍ୱ ସାଧାରଣ ଜନତାଙ୍କର

ଆର୍ମଡ୍‌ ଫୋର୍ସ ଫ୍ଲାଗ୍‌ ଡେ ଭାରତର ସଶସ୍ତ୍ର ବାହିନୀର ସୈନିକମାନଙ୍କୁ ସମ୍ମାନିତ କରିବା ପାଇଁ ଉତ୍ସର୍ଗୀକୃତ ଦିନଟିଏ। ୧୯୪୯ରୁ ଡିସେମ୍ବର ୭ ରେ ଏହା ପ୍ରତିବର୍ଷ ଭାରତରେ ପାଳନ କରାଯାଉଛି। ଭାରତ ସ୍ବାଧୀନତା ହାସଲ କରିବା ପରେ ତୁରନ୍ତ ଏହାର ପ୍ରତିରକ୍ଷା କର୍ମଚାରୀଙ୍କ କଲ୍ୟାଣ ପାଇଁ ସରକାର ଚିନ୍ତା କରିଥିଲେ। ୨୮ ଅଗଷ୍ଟ ୧୯୪୯ରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧୀନରେ ଗଠିତ ଏକ କମିଟି ପ୍ରତିବର୍ଷ ଡିସେମ୍ବର ୭ ରେ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ଦିବସ ଅଧିକ ଗୁରୁତ୍ୱ ବହନକରେ, କାରଣ ଏହା ବିବେଚନା କରେ ଯେ ଦେଶ ପାଇଁ ସଂଗ୍ରାମ କରୁଥିବା ସଶସ୍ତ୍ର ବାହିନୀର ପରିବାର ଏବଂ ନିର୍ଭରଶୀଳଙ୍କ ଯତ୍ନ ଥେନବା ଭାରତର ସାଧାରଣ ନାଗରିକଙ୍କ ଦାୟିତ୍ୱ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୭ଡିସେମ୍ବର ୧୯୫୪ରେ କହିଥିଲେ, ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଶସ୍ତ୍ର ବାହିନୀର ଯବାନମାନଙ୍କୁ ସହାୟତା କରିବାର ଗୋଟିଏ ଉପାୟ ହେଉଛି ଫ୍ଲାଗ୍‌ ଡେ ପାଣ୍ଠିରେ ଯୋଗଦାନ କରିବା। ଏହି ଦିବସରେ ଭାରତୀୟ ସଶସ୍ତ୍ର ବାହିନୀର ସମସ୍ତ ତିନୋଟି ଶାଖା, ଭାରତୀୟ ସ୍ଥଳସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ପକ୍ଷରୁ ବିଭିନ୍ନ ଶୋ, କାର୍ନିଭାଲ, ଡ୍ରାମା ଏବଂ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।