ମୁମ୍ବାଇ,୨୬।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅର୍ଜୁନଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇସାରିଛି ଏବଂ ପରିବାରରେ ଏବେ ସେଲିବ୍ରେଶନର ମାହୋଲ। ସାନିଆ ଚାନ୍ଦୋକଙ୍କ ସହ ତାଙ୍କର ବିବାହ ମାର୍ଚ୍ଚ ୫, ୨୦୨୬ରେ ହେବ।
ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆରେ ଅର୍ଜୁନ ଏବଂ ସାନିଆଙ୍କ ଏକ ଭିଡିଓ ସେୟାର କରିଛି। ଭିଡିଓରେସଚିନ ତେନ୍ଦୁଲକର ତାଙ୍କ ପୁଅ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ମଧ୍ୟ ଶେୟାର କରିଛନ୍ତି। ସେ କହିଛନ୍ତି,ଯେତେବେଳେ ପୁଅ ବାପାମା’ଙ୍କୁ ଭେଟି କରିବା ପାଇଁ ଏକ ଝିଅକୁ ଘରକୁ ଆଣେ, ସେତେବେଳେ ବୁଝିଯିବା ଉଚିତ୍, ସେ ବଡ଼ ହୋଇଯାଇଛି। ସଚିନ ଏହା ମଧ୍ୟ କହିଛନ୍ତ, ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିବା ପରି ମନେହୁଏ ଏବଂ ଏପରି ଏକ ସ୍ବତନ୍ତ୍ର ଜୀବନସାଥୀ ବାଛିବା ପାଇଁ ଅର୍ଜୁନଙ୍କ ଉପରେ ଗର୍ବିତ।
ଅର୍ଜୁନ ଏବଂ ସାନିଆ ଅଗଷ୍ଟ ୨୦୨୫ରେ ନିର୍ବନ୍ଧ କରିଥିଲେ। ସାନିଆ ଜଣେ ସଫଳ ଉଦ୍ୟୋଗୀ ଏବଂ ମୁମ୍ବାଇର ଏକ ବ୍ୟବସାୟିକ ପରିବାରର। କୁହାଯାଏ ଯେ, ସେ ଦୀର୍ଘ ଦିନ ଧରି ତେନ୍ଦୁଲକର ପରିବାର ସହିତ ନିକଟତର ଅଛନ୍ତି।
ଅର୍ଜୁନ ତେନ୍ଦୁଲକର ଘରୋଇ କ୍ରିକେଟରେ ଏକ ସ୍ବତନ୍ତ୍ର ଛାପ ସୃଷ୍ଟି କରିଛନ୍ତି। ଜଣେ ବାମହାତୀ ଦ୍ରୁତ ବୋଲର ଏବଂ ଉପଯୋଗୀ ବ୍ୟାଟସମ୍ୟାନ ଭାବରେ, ସେ ଗୋଆ ପାଇଁ ତାଙ୍କର ରଣଜୀ ଟ୍ରଫି ଡେବ୍ୟୁରେ ଏକ ଶତକ ହାସଲ କରିଥିଲେ। ଏହି ସଫଳତା ସହିତ ସେ ତାଙ୍କ ପିତାଙ୍କ ପରି ତାଙ୍କର ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ଶତକ ହାସଲ କରିବାର ରେକର୍ଡ ସ୍ଥାପନ କରିଥିଲେ।
ଅର୍ଜୁନ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବା ସମୟରେ ତାଙ୍କ ପ୍ରତିଭାର ଝଲକ ଦେଖାଇଥିଲେ। ସେ ପରବର୍ତ୍ତୀ ସିଜନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଜର୍ସିରେ ନଜର ଆସିବେ।