Categories: Home Leftଖେଳ

ଆଇପିଏଲ ଅକ୍‌ଶନ: ଶ୍ରୀସନ୍ଥଙ୍କ ବେସ ପ୍ରାଇସ୍‌ ୭୫ ଲକ୍ଷ, ସର୍ବନିମ୍ନ ପାହ୍ୟାରେ ଅର୍ଜୁନ

ଚେନ୍ନାଇ, ୬ା୨- ଫେବୃୟାରୀ ୧୮ରେ ହେବାକୁ ଥିବା ବହୁ ପ୍ରତିକ୍ଷୀତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନିଲାମ ପ୍ରକ୍ରିୟାରେ ୧୦୯୭ ଜଣ ଖେଳାଳିଙ୍କ ନାମ ପଞ୍ଜୀକୃତ କରାଯାଇଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ବାଂଲାଦେଶ ଅଲରାଉଣ୍ଡର ଶକିବ ଅଲ ହସନ ଏବଂ ପୂର୍ବତନ ଭାରତୀୟ ପେସର ଏସ. ଶ୍ରୀସନ୍ଥ। ଅନ୍ୟପକ୍ଷରେ ଇଂଲଣ୍ଡ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ ଏବଂ ଅଷ୍ଟ୍ରେଲିଆନ ଷ୍ଟାର ପେସର ମିଚେଲ ଷ୍ଟାର୍କ ଓହରିଯାଇଛନ୍ତି।

କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଟଙ୍କା ରହିଛି। ଏକ ବର୍ଷ ବାସନ୍ଦାଦେଶ ଭୋଗିଥିବା ଶକିବଙ୍କ ବେସ୍‌ ପ୍ରାଇସ୍‌ ସର୍ବୋଚ୍ଚ ୨ କୋଟି ଟଙ୍କା ରଖାଯାଇଛି। ଅନ୍ୟପକ୍ଷରେ ୭ବର୍ଷ ପରେ କ୍ରିକେଟକୁ ଫେରିଥିବା ଶ୍ରୀସନ୍ଥଙ୍କ ବେସ୍‌ ପ୍ରାଇସ୍‌ ୭୫ ଲକ୍ଷ ଟଙ୍କା ରହିଛି। ସୂଚନାଯୋଗ୍ୟ, ୨୦୧୩ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ସ୍କାଣ୍ଡାଲରେ ତାଙ୍କ ଭୂମିକାକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩୭ ବର୍ଷୀୟ ଏହି ପେସ୍‌ ବୋଲରଙ୍କୁ ଆଜୀବନ ବାସନ୍ଦ କରିଥିଲା। କିନ୍ତୁ ୨୦୧୯ ଅଗଷ୍ଟରେ ବାସନ୍ଦ ସମୟସୀମା ୭ ବର୍ଷକୁ ହ୍ରାସ କରାଯାଇଥିଲା।

ସବୁଠୁ ଅଧିକ ବେସ ପ୍ରାଇସ୍‌ ଥିବା ଖେଳାଳିଙ୍କ ତାଲିକାରେ ରହିଛନ୍ତି ହରଭଜନ ସିଂ, କେଦାର ଯାଦବ, ଷ୍ଟିଭ ସ୍ମିଥ୍‌, ଗ୍ଲେନ ମାକ୍ସଓ୍ବେଲ, ମୋଇନ ଅଲି, ସାମ୍‌ ବିଲିଙ୍ଗ୍ସ, ଜାସନ ରୟ, ମାର୍କ ଉଡ୍‌, ଲିଆମ ପ୍ଲଙ୍କେଟ ଏବଂ କଲିନ ଇନ୍‌ଗ୍ରାମଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି। ଅନ୍ୟପକ୍ଷରେ ଭାରତୀୟ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୫୦ ଲକ୍ଷ ଟଙ୍କା) ମଧ୍ୟ ନିଜ ନାମ ପଞ୍ଜୀକୃତ କରାଇଛନ୍ତି।