ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ ଏବଂ ବ୍ୟାଟିଂରେ ବିଫଳ ହୋଇଛନ୍ତି। ଗୋଆ ଟିମ୍ ଏହି ସିଜନରେ ୭ଟି ମ୍ୟାଚ୍ ମଧ୍ୟରୁ ୬ଟିରେ ଅର୍ଜୁନଙ୍କୁ ଖେଳାଇଛି। ସେ ଓପନିଂ ବ୍ୟାଟିଂ ଏବଂ ଓପନିଂ ବୋଲିଂ କରିବାକୁ ଆସିଥିଲେ, କିନ୍ତୁ ପ୍ରତ୍ୟେକ ମ୍ୟାଚ୍ରେ ସେ ବିଫଳ ହୋଇଥିଲେ। ଅର୍ଜୁନଙ୍କ ଏପରି ପ୍ରଦର୍ଶନ ପରେ ତାଙ୍କ ପାଇଁ ଟିମ୍ରେ ନିଜର ସ୍ଥାନ ବଜାୟ ରଖିବା କଷ୍ଟକର ହୋଇଯିବ।
ଅର୍ଜୁନ ତେନ୍ଦୁଲକର ବିଜୟ ହଜାରେ ଟ୍ରଫିରେ ୬ଟି ଇନିଂସରେ ବ୍ୟାଟିଂ କରିିଥିଲେ। ସେଥିରୁ ଗୋଟିଏରେ ନଟଆଉଟ ରହିଥିଲେ ମଧ୍ୟ ତାଙ୍କର ବ୍ୟାଟିଂ ଆଭରେଜ ୧୧.୬ ରହିଛି। ଏହି ଖେଳାଳି କେବଳ ୫୮ ରନ ହିଁ କରିଥିଲେ। ଆଶ୍ଚର୍ଯ୍ୟର କଥା ଯେ ଏହି ଦିନିକିଆ ଫର୍ମାଟରେ ତାଙ୍କର ଷ୍ଟ୍ରାଇକ ରେଟ ୬୦.୪୧ ରହିଥିଲା। ପୁରା ଟୁର୍ନାମେଣ୍ଟରେ ସେ ଗୋଟିଏ ଛକା ମଧ୍ୟ ମାରିନାହାନ୍ତି। କେବଳ ୭ଟି ଚୌକା ମାରିଛନ୍ତି।
ଅର୍ଜୁନ ତେନ୍ଦୁଲକର ବୋଲିଂରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ବାମହାତି ଏହି ଫାଷ୍ଟ ବୋଲର ୬ଟି ମ୍ୟାଚ୍ରେ କେବଳ ଗୋଟିଏ ଉଇକେଟ ହିଁ ନେଇପାରିଛନ୍ତି। ସେ ପୁରା ଟୁର୍ନାମେଣ୍ଟରେ ୩୨୬ ରନ ଦେଇଛନ୍ତି। ତାଙ୍କର ଇକୋନମି ରେଟ ୭.୨ ରନ ପ୍ରତି ଓଭର ରହିଛି।
ଗୋଆ ଟିମ ବିଜୟ ହଜାରେ ଟ୍ରଫିର ଗ୍ରୁପ ସିରେ ଥିଲା ଏବଂ ୮ଟି ଟିମ୍ର ଏହି ଗ୍ରୁପ୍ରେ ସେ ଷଷ୍ଠ ସ୍ଥାନରେ ଥିଲେ। ଗୋଆ ୭ଟି ମ୍ୟାଚ୍ ମଧ୍ୟରୁ ୪ଟି ହାରିଛି। ଆଶ୍ଚର୍ଯ୍ୟର କଥା ଯେ ଗୋଆ ପ୍ରଥମ ତିନି ମ୍ୟାଚ୍ରେ ଲଗାତାର ତିନଟିରେ ବିଜୟ ହାସଲ କରିଥିଲା। କିନ୍ତୁ ତା’ପରେ ଲଗାତାର ଚାରି ମ୍ୟାଚ୍ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଫଳରେ ଦଳ କ୍ୱାର୍ଟର ଫାଇନାଲ ଦୌଡ଼ରୁ ବାଦ୍ ପଡ଼ିଥିଲା। ଗୋଆ ମୁମ୍ବାଇ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ଶେଷରେ ମହାରାଷ୍ଟ୍ରଠାରୁ ମ୍ୟାଚ୍ ହାରିଛି।
Dharitri – Odisha’s No.1 Odia Daily