ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ଖ୍ୟାତନାମା ଗାୟକ ଅରିଜିତ ସିଂ। ଦିନକ ପୂର୍ବେ ସେ ହଠାତ ପ୍ଲେବ୍ୟାକ୍ ସିଂଙ୍ଗିରୁ ଅବସର ନେଇ ଘୋଷଣା କରିଥିଲେ। ଏହାପରଠାରୁ ତାଙ୍କୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। ଲୋକପ୍ରିୟତାର ଶୀର୍ଷରେ ଥିବା ଏହି ଗାୟକ କ’ଣ ପାଇଁ ଏତେ ବଡ଼ ନିଷ୍ପତ୍ତି ନେଲେ ସେ ନେଇ ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ପ୍ରକୃତ କାରଣକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅରିଜିତ ଏକ ରାଜନୈତିକ ଦଳ ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି। ହେଲେ ଶୀଘ୍ର ତାହା ହେବ ନାହିଁ। ଏପରିକି ସେ ୨୦୨୬ ପଶ୍ଚିମବଙ୍ଗ ନିର୍ବାଚନରେ ମଧ୍ୟ ଅଂଶଗ୍ରହଣ କରିବେ ନାହିଁ।
ସେଠାକାର ଚଳଚ୍ଚିତ୍ରଜଗତରୁ ଆସୁଥିବା ଖବର ମୁତାବକ ଅରିଜିତ ପ୍ରଥମେ ତୃଣମୂଳସ୍ତରରେ ନିର୍ବାଚନ ଲଢ଼ିବା ବିଷୟରେ ବିଚାର କରିପାରନ୍ତି, ଯେପରିକି ଛୋଟସ୍ତରରୁ ରାଜନୀତିରେ ପ୍ରବେଶ କରିବା। ଏବେ ଯାଏ ତାଙ୍କ ରାଜନୈତିକ ଦଳ ନେଇ ସୂଚନା ଗୁପ୍ତ ରହିଛି। ହେଲେ ଅରିଜିତଙ୍କ ନିକଟତମ ଲୋକଙ୍କ କହିବା ଅନୁଯାୟୀ ସେ ରାଜନୀତି ଆଡ଼କୁ ଢ଼ଳିବା ପ୍ରକ୍ରିୟା ଆରମ୍ଭ ହୋଇଛି।
କହିରଖୁଛୁ, ବାର୍ଷିକ କୋଟି କୋଟି ଟଙ୍କା ରୋଜଗାର କରିବା ସତ୍ତ୍ୱେ ଅରିଜିତ ତାଙ୍କ ଜନ୍ମସ୍ଥାନ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜିଆଗଞ୍ଜରେ ଏକ ସରଳ ଜୀବନଯାପନ କରନ୍ତି। ମଙ୍ଗଳବାର ସେ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅବସର ଘୋଷଣା ନେଇ ପୋଷ୍ଟ କରି ସଙ୍ଗୀତ ତିଆରି କରିବା ବନ୍ଦ କରିବେ ନାହିଁ ବୋଲି କହିଥିଲେ। ଏହାପରଠାରୁ ତାଙ୍କୁ ନେଇ ନାନାଦି ଆଲୋଚନା ଜାରି ରହିଛି।
Dharitri – Odisha’s No.1 Odia Daily