ଅନଲାଇନରେ କାର୍ ଓ ବାଇକ୍ ଇ-ଚାଲାଣ ଭରୁଛନ୍ତି? ଜାଣନ୍ତୁ, ନଚେତ….

ନୂଆଦିଲ୍ଲୀ,୧୧।୧: ବର୍ତ୍ତମାନ ଅନଲାଇନ୍ ଯୁଗ । ସପିଂଠୁ ନେଇ ବିଲିଂ, ପ୍ରତ୍ୟେକ କାମ ଅନଲାଇନ୍‌ରେ ସୁବିଧାରେ ସରଳରେ ହୋଇଯାଇଛି। ହାତ ପାହାନ୍ତାରେ ସବୁ ଜିନିଷ ହୋଇଯାଉଛି। ସେହିପରି ବିଦ୍ୟୁତ୍ ବିଲ୍, ପାଣି ବିଲ୍ ଭଳି ବିଲ୍ ମଧ୍ୟ ଅନଲାଇନ୍‌ରେ ପୈଠ ହୋଇପାରୁଛି। କିନ୍ତୁ ଯଦି ଆପଣ ଟ୍ରାଫିକ ଫାଇନ ଭରୁଛନ୍ତି ତେବେ ସତର୍କ ରହିବା ବହୁତ ଜରୁରୀ।

ସାଇବର ଅପରାଧୀମାନେ ସାଧାରଣ ଲୋକଙ୍କୁ ଠକିବା ପାଇଁ ନୂଆ କୌଶଳ ବ୍ୟବହାର କରୁଛନ୍ତି। ସେମାନେ ବିଶେଷକରି ଶିକ୍ଷିତ ସଫ୍ଟୱେର୍ ଇଞ୍ଜିନିୟରମାନଙ୍କୁ ଟାର୍ଗେଟ କରୁଛନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ଲୁଟୁଛନ୍ତି। ସମ୍ପ୍ରତି, ବେଙ୍ଗାଲୁରୁ ସହରରେ ଟ୍ରାଫିକ୍ ଜରିମାନା ନାମରେ ଗୋଟିଏ ଠକେଇକୁ ନେଇ ଚର୍ଚ୍ଚା ଜୋର ଧରିଛି। ୨୭ ବର୍ଷୀୟ ଯୁବକ ଅନୁରାଗ କୁମାର ପାଣ୍ଡେଙ୍କୁ ଏକ ଅଜଣା ନମ୍ବରରୁ ଏକ ମେସେଜ୍ ମିଳିଥିଲା। ତାଙ୍କୁ ଏଥିରେ ଥିବା ଲିଙ୍କ୍ ଉପରେ କ୍ଲିକ୍ କରି ଟ୍ରାଫିକ୍ ଜରିମାନା ଦେବାକୁ କୁହାଯାଇଥିଲା।

ଲିଙ୍କ୍ ଉପରେ କ୍ଲିକ୍ କରିବାର କିଛି ସମୟ ପରେ, ଅନୁରାଗଙ୍କ କ୍ରେଡିଟ୍ କାର୍ଡରୁ ୧,୧୬,୭୩୮ ଟଙ୍କା କଟିଗଲା। ତାଙ୍କ ଅନୁଯାୟୀ, ସେ OTP ପାଇଥିଲେ ସତ କିନ୍ତୁ ସେ ଏହା ବିଷୟରେ କାହାକୁ କହି ନଥିଲେ। ସାଧାରଣତଃ, ସମସ୍ତେ ଭାବନ୍ତି ଯେ OTP ଦେଲେ ହିଁ ଟଙ୍କା ଟ୍ରାନ୍ସଫର ହେବ।