ଆଜିକାଲି ପ୍ରାୟ ମୁଣ୍ଡବ୍ୟଥା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଖାଦ୍ୟପେୟ ଠିକ୍ ସମୟରେ ନ ଖାଇଲେ, ଆବଶ୍ୟକ ମୁତାବକ ପାଣି ନ ପିଇଲେ ଏହାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେବେ ଏଥିରୁ ଉପଶମ ପାଇବା ଲାଗି କେତୋଟି ସରଳ ତଥା ସହଜ ଉପାୟ ରହିଛି। ସବୁଠାରୁ ମୁଖ୍ୟ କଥା ହେଲା ସବୁବେଳେ ଠିକ୍ ସମୟରେ ଖାଦ୍ୟ ଖାଆନ୍ତୁ। ଏଥିରେ ବିଳମ୍ବ ହେଲେ ପେଟରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଦେଇଥାଏ, ଯାହାଦ୍ୱାରା ମୁଣ୍ଡ ବିନ୍ଧେ। ତା’ସହ ଦିନକୁ ଅତିକମ୍ରେ ୨-୩ ଲିଟର ପାଣି ପିଅନ୍ତୁ। ଆଉ ଏକ କଥା ହେଲା ନିଦ୍ରା। ଆମକୁ ରାତିରେ ଅତିକମ୍ରେ ୭-୮ ଘଣ୍ଟା ଶୋଇବା ନିହାତି ଦରକାର। ଏଥିରେ ଅସନ୍ତୁଳନ ଦେଖାଦେଲେ ତାହା ମୁଣ୍ଡବିନ୍ଧାର କାରଣ ସାଜିଥାଏ। ତେଣୁ ସବୁବେଳେ ଆବଶ୍ୟକ ମୁତାବକ ଶୁଅନ୍ତୁ। ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେରୁ ଜାଣି ପାରିଛନ୍ତି ଯେ ନିୟମିତ ଯୋଗ କରିବା ଦ୍ୱାରା ମୁଣ୍ଡବିନ୍ଧା ପରି ସମସ୍ୟାରୁ କେତେକାଂଶରେ ଉପଶମ ମିଳିଥାଏ। ବେଳେବେଳେ ଟେନ୍ସନ୍ର ବଶବର୍ତ୍ତୀ ହେଲେ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇଥାଏ। ତେଣୁ ଏହାଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ନିଜର ମାନସିକତାକୁ ସକାରାତ୍ମକ ରଖିବାକୁ ଚେଷ୍ଟା କରନ୍ତୁ।