**EDS: TWITTER IMAGE POSTED BY @india_archery ON SUNDAY, JUNE 27, 2021** Paris: Indian women's recurve team of Deepika Kumari, Ankita Bhakat and Komalika Bari won gold medal in archery with a comfortable win over Mexico in the World Cup Stage 3 event. (PTI Photo)(PTI06_27_2021_000143B)
ପ୍ୟାରିସ,୨୮ା୬ (ପି.ଟି.)-ଦୀପିକା କୁମାରୀଙ୍କ ଚମତ୍କାର ଫର୍ମ ଯୋଗୁ ତୀରନ୍ଦାଜୀ ବିଶ୍ୱକପ୍ ଷ୍ଟେଜ୍-୩ରେ ଭାରତ ଅଭୂତପୂର୍ବ ସଫଳତା ହାସଲ କରିଛି। ଭାରତୀୟ ତୀରନ୍ଦାଜମାନେ ରବିବାର ଦେଶ ପାଇଁ ୩ ସ୍ବର୍ଣ୍ଣ ପଦକ ଆଣି ଦେଇଛନ୍ତି। ଫଳରେ ସ୍ବର୍ଣ୍ଣପଦକ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଆସନ୍ତା ମାସରେ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଏହା ଏକ ଖୁସି ଖବର। ମହିଳା ବ୍ୟକ୍ତିଗତ ରିକର୍ଭ ଇଭେଣ୍ଟ ଫାଇନାଲରେ ରୁଷିଆର ଏଲିନା ଓସିପୋଭାଙ୍କୁ ୬-୦ରେ ପରାସ୍ତ କରି ଦୀପିକା ଗୋଟିଏ ଦିବସରେ ହ୍ୟାଟ୍ରିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ସେ ମିକ୍ସଡ ଟିମ୍ ଇଭେଣ୍ଟ ଏବଂ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ମହିଳା ଟିମ୍ର ଅଂଶବିଶେଷ ରହିଥିଲେ।
ମିକ୍ସଡ ଇଭେଣ୍ଟ ଫାଇନାଲରେ ଦୀପିକା ଓ ଅତନୁ ଦାସ ପ୍ରଥମେ ନେଦରଲାଣ୍ଡର ଏସ୍ଜେଫ୍ ଭାନ୍ ଡେନ୍ ବର୍ଗ ଓ ଗାବ୍ରିଏଲା ସ୍କ୍ଲୋଏସ୍ରଙ୍କଠାରୁ ୦-୨ରେ ପଛୁଆ ରହିଥିଲେ। ମାତ୍ର ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ୫-୩ରେ ବିଜୟ ଲାଭ କରି ଭାରତ ପାଇଁ ତୃତୀୟ ସ୍ବର୍ଣ୍ଣ ଆଣି ଦେଇଥିଲେ। ମହିଳା ରିକର୍ଭ ଟିମ୍ ଫାଇନାଲରେ ମେକ୍ସିକୋକୁ ପରାସ୍ତ କରିଥିଲା। ସୂଚନାଯୋଗ୍ୟ, କମ୍ପାଉଣ୍ଡ ତୀରନ୍ଦାଜ ଅଭିଷେକ ବର୍ମା ଶନିବାର ବ୍ୟକ୍ତିଗତ ଇଭେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅତନୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଥମ ଥର ସେମାନେ ଏକତ୍ର ଫାଇନାଲ ଜିତିଥିବାରୁ ସେ ଖୁବ୍ ଆନନ୍ଦିତ। ଅତନୁ ଓ ଦୀପିକା ଦୁଇବର୍ଷ ଧରି ପରସ୍ପର ସହ ମିଳାମିଶା ପରେ ବିବାହ କରିଥିଲେ। ଜୁନ୍ ୩୦ରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ ହେବ। ଅତନୁ କହିଛନ୍ତି, ସେମାନେ ଦମ୍ପତି ହୋଇଥିଲେ ହେଁ ପଡ଼ିଆରେ କିନ୍ତୁ ଅନ୍ୟ ପ୍ରତିଯୋଗୀଙ୍କ ଭଳି ପରସ୍ପରକୁ ଉତ୍ସାହିତ କରିଥାଉ। ସୂଚନାଯୋଗ୍ୟ, ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଦୀପିକା ଏହି ଇଭେଣ୍ଟରେ ଇତିମଧ୍ୟରେ ୫ ରୌପ୍ୟ ଓ ୩ ବ୍ରୋଞ୍ଜ ଜିତିସାରିଛନ୍ତି, ହେଲେ ପ୍ରଥମଥର ମିକ୍ସଡ ଯୋଡ଼ିରେ ସ୍ବର୍ଣ୍ଣ ଲାଭ କରିପାରିଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ଯୋଗ୍ୟତା ହାସଲ କରିସାରିଥିବା କୋରିଆ ବ୍ୟତୀତ ଚାଇନା ଓ ଚାଇନିଜ୍ ତାଇପେ ଭଳି ଅନ୍ୟ ଏସିଆନ ହେଭିଓ୍ବେଟ୍ ଦେଶଗୁଡ଼ିକ ଏହି ପ୍ରତିଯୋଗିତାରୁ ଓହରିଯାଇଛନ୍ତି। ଫଳରେ ଭାରତ ପଦକ ତାଲିକାରେ ୪ ସ୍ବର୍ଣ୍ଣ ସହ ଶୀର୍ଷରେ ରହିଛି।