Categories: Home Leftଖେଳ

ପୁଣି ଆହତ ସମସ୍ୟା ସାଜିଲା ବାଧକ

ଲଣ୍ଡନ, ୧୭ା୫ : ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚ୍ଚର ବାଦ୍‌ ପଡ଼ିଛନ୍ତି। ନିକଟରେ ଆହତ ସମସ୍ୟା ମୁକୁଳି ଥିବା ଆର୍ଚ୍ଚର ସସେକ୍ସ ବିପକ୍ଷ କାଉଣ୍ଟି ଚାମ୍ପିୟନଶିପ୍‌ ମ୍ୟାଚ୍‌ ବେଳେ ଡାହାଣ ଏଲବୋରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହି କାରଣରୁ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ମାତ୍ର ୫ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲେ ଏହି ପେସର।

ଆର୍ଚ୍ଚର ଆସନ୍ତା ସପ୍ତାହରେ ଡାକ୍ତରଙ୍କ ସହ ପରାମର୍ଶ କରିବେ। ଗତ ବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ ସମାନ ଆହତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଆର୍ଚ୍ଚର। ଏହାପରେ ଭାରତ ବିପକ୍ଷ ସିରିଜ୍‌ରେ ପୁଣି ଥରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଇଞ୍ଜେକଶନ ନେବାକୁ ପଡ଼ିଥିଲା। ତେବେ ଆର୍ଚ୍ଚରଙ୍କ ଆହତ ସମସ୍ୟା ଇଂଲଣ୍ଡ ପାଇଁ ଚିନ୍ତାର କାରଣ ପାଲଟିପାରେ। କାରଣ ଚଳିତ ବର୍ଷ ଆଇସିସି ଟି୨୦ ବିଶ୍ୱକପ୍‌ ଓ ଆଶେସ ଭଳି ଗୁରୁତ୍ୱପୂର୍ଣ୍ଣ ସିରିଜ୍‌ ଖେଳାଯିବାର ଅଛି।